ନୂଆଦିଲ୍ଲୀ,୨୨/୦୯: ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ପୁନଃନିରୀକ୍ଷଣ (ଏସ୍ଆଇଆର୍) ସମ୍ବନ୍ଧିତ ସମସ୍ତ ପ୍ରସ୍ତୁତି ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ ନିର୍ବାଚନ କମିଶନ (ଇସି) ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅକ୍ଟୋବର-ନଭେମ୍ବରରୁ ନିର୍ବାଚନ କମିଶନ ଭୋଟର ତାଲିକା ସଂଶୋଧନ ଏବଂ ଅପଡେଟ୍ କାମ ଆରମ୍ଭ କରିପାରନ୍ତି ।
ସୂଚନା ଅନୁସାରେ, ଚଳିତ ମାସ ପ୍ରାରମ୍ଭରେ ବସିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକରେ ଇସିଙ୍କ ଶୀର୍ଷ ଅଧିକାରୀମାନେ ୧୦ରୁ ୧୫ ଦିନରେ ଏସ୍ଆଇଆର୍ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ । ଏବେ ଏଥିପାଇଁ ଅନ୍ତିମ ତାରିଖ ଘୋଷଣା କରାଯାଇଛି । ସମସ୍ତ ରାଜ୍ୟ ଗତ ଏସ୍ଆଇଆର୍ ପରେ ପ୍ରକାଶିତ ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ରାଜ୍ୟ ପୂର୍ବ ଏସ୍ଆଇଆର୍ ପରେ ମତଦାତାଙ୍କ ତାଲିକା ପୂର୍ବରୁ ହିଁ ୱେବସାଇଟରେ ଅପ୍ଲୋଡ କରିଛନ୍ତି ।
ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ୨୦୦୮ର ଭୋଟର ତାଲିକା ଉପଲବ୍ଧ । ଉତ୍ତରାଖଣ୍ଡରେ ବି ୨୦୦୬ର ଭୋଟର ତାଲିକା ୱେବସାଇଟରେ ରହିଛି । ବିହାରରେ ଏବେ ଏସ୍ଆଇଆର୍ ଜାରି ରହିଛି । ଅଧିକାଂଶ ରାଜ୍ୟରେ ୨୦୦୨ରୁ ୨୦୦୪ ମଧ୍ୟରେ ଏସ୍ଆଇଆର୍ ହୋଇଥିଲା। ଏବେ ସେଠାରେ ବର୍ତ୍ତମାନର ଭୋଟରଙ୍କ ପୁରୁଣା ତାଲିକା ସହ ଏବେ ର ଭୋଟରଙ୍କୁ ମିଳାଇବା କାମ ପ୍ରାୟ ଶେଷ ହୋଇଯାଇଛି । ଇସିଙ୍କ କହିବା ଅନୁସାରେ ବିହାର ପରେ ଏହି ପ୍ରକ୍ରିୟା ସାରା ଦେଶରେ ଆରମ୍ଭ ହେବ ।
ସୂଚନାଯୋଗ୍ୟ ଯେ, ୨୦୨୬ରେ ଆସାମ, କେରଳ, ପୁଡ଼ୁଚେରୀ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଇସିଙ୍କ ଅନୁସାରେ, ଏସ୍ଆଇଆର ଦ୍ୱାରା ଭୋଟର ତାଲିକାରେ ସଠିକ୍ତା ଏବଂ ପାରଦର୍ଶିତା ସୁନିଶ୍ଚିତ ହୋଇପାରିବ । ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ଭୋଟର ତାଲିକାରୁ ବିଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା । ଏଥିପାଇଁ ମତଦାତାଙ୍କ ଜନ୍ମସ୍ଥାନ ଯାଞ୍ଚ କରାଯିବ । ବାଂଲାଦେଶ, ମ୍ୟାଁମାର ଆଦି ଦେଶରୁ ବେଆଇନ ଭାବେ ଭାରତରେ ପଶିଥିବା ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ଏହି ପଦକ୍ଷେପ ବେଶ ଗୁରୁତ୍ୱପୂର୍ଣ୍ଣ ।