ୱାଶିଂଟନ,୨୮/୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ତାଙ୍କୁ ବର୍ତ୍ତମାନ ବିଶ୍ୱର ୮୦ ପ୍ରତିଶତ ସମସ୍ୟା ପାଇଁ ଦାୟୀ କରିଛନ୍ତି । ଲଣ୍ଡନରେ ବ୍ରିଟିଶ ଐତିହାସିକ ଡେଭିଲ୍ ଓଲୁସେଗାଙ୍କୁ ସାକ୍ଷାତକାର ଦେଇ ଓବାମା କହିଛନ୍ତି ଯେ ବୁଢ଼ା ଲୋକମାନେ କ୍ଷମତାକୁ ଜାବୁଡି ଧରିବା ଏବଂ ସବୁ କ୍ଷେତ୍ରରେ ନିଜର ନାମର ପ୍ରଚାର କରିବା ହିଁ ବିଶ୍ୱର ୮୦ ପ୍ରତିଶତ ସମସ୍ୟାର କାରଣ । ଏଥିରେ ‘ପିରାମିଡ୍’ମଧ୍ୟ ସାମିଲ । ତାଙ୍କର ଏଭଳି ଟିପ୍ପଣୀ ୭୭ ବର୍ଷୀୟ ଟ୍ରମ୍ପଙ୍କ ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଉଛି ।
ଓବାମା ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବୁଢ଼ା ଲୋକମାନେ ମୃତ୍ୟୁ ଓ ତୁଚ୍ଛତାକୁ ଭୟ କରନ୍ତି । କିନ୍ତୁ ନିଜକୁ କେବେ ହାର ମାନନ୍ତି ନାହିଁ । ସେମାନେ ପିରାମିଡ ନିର୍ମାଣ କରୁଛନ୍ତି ଏବଂ ସବୁଥିରେ ନିଜ ନାମ ଲେଖୁଛନ୍ତି । ଏହାକୁ ନେଇ ସେ ବହୁତ ଚିନ୍ତିତ ମଧ୍ୟ ରହିଥାନ୍ତି । ୱାଶିଂଟନ ଡିସିରେ ନ୍ୟାସନାଲ ଗାର୍ଡସର ସୈନିକଙ୍କୁ ଟ୍ରମ୍ପ ମୁତୟନ କରିବା ଏବଂ ଏହି ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇବାର ଏକମାସ ପରେ ଓବାମାଙ୍କ ଏଭଳି ବୟାନ ଆସିଛି । ଟ୍ରମ୍ପ କହିଥିଲେ ରାଜଧାନୀରେ ହିଂସକ ଅପରାଧ ବୃଦ୍ଧିକୁ ରୋକିବା ଲାଗି ଅସାଧାରଣ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ।
ସୂଚନାଯୋଗ୍ୟ ଯେ ୬୪ ବର୍ଷୀୟ ଓବାମା ୨୦୦୯ ଜାନୁଆରୀ ୨୦ରୁ ୨୦୧୭ ଜାନୁଆରୀ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ରହିଥିଲେ ।