ଭୁବନେଶ୍ବର,୨୭/୯ : ଚଳିତ ବିଜୟାଦଶମୀକୁ ଶହେ ବର୍ଷରେ ପାଦ ଦେବ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ । ଏ ବର୍ଷ ଶତବାର୍ଷିକୀ ପଡୁଥିବାରୁ ଲୋକଙ୍କ ପାଖକୁ ଯିବାକୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ସଂଘ । ଏହି ଅବସରରେ ଭୁବନେଶ୍ୱର ନୀଳାଦ୍ରି ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜୟା ଦଶମୀ ଉତ୍ସବ ପାଳନ କରିଛି ମୈତ୍ରୀ ନଗର ଆରଏସଏସ ସଂଘ।
ଅନେକ ବାଧା ବିଘ୍ନ ଦେଇ ଆରଏସଏସ ଆଜି ବିଶାଳ ଦୃମରେ ପରିଣତ ହୋଇଛି । ସମାଜର ବିଭିନ୍ନ କ୍ଷେତ୍ରରେ ସଂଘର ସ୍ବୟଂସେବକମାନେ ସେମାନଙ୍କ ଛାପ ଛାଡିଛନ୍ତି । ହିନ୍ଦୁ ସମାଜକୁ ଏକାଠି କରିବାକୁ ବାହାରିଥିବା ଆରଏସଏସ ଆଜି ବିଶ୍ବର ସର୍ବବୃହତ ସାମାଜିକ ସଂଗଠନରେ ପରିଣତ ହୋଇଥିବା ଏକ ବାର୍ତ୍ତା ରେ କୁହାଯାଇଛି । ଚଳିତ ବିଜୟାଦଶମୀ ରୁ ଆସନ୍ତା ବିଜୟାଦଶମୀ ଯାଏ ବର୍ଷ ତମାମ ରାଜ୍ୟର ପ୍ରତି ଖଣ୍ଡ, ନଗର ଓ ବ୍ଲକରେ ଆରଏସଏସ ଆୟୋଜିତ କରିବ ଯୁବ ସମ୍ମିଳନୀ । ଏହି ସମ୍ମିଳନୀମାନଙ୍କରେ ନିଶାମୁକ୍ତ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଯୁବବର୍ଗଙ୍କୁ ବାର୍ତ୍ତା ପ୍ରଦାନ କରାଯିବ ।
ଘରକୁ ଘରକୁ ବୁଲି ସଂଘର ଆଦର୍ଶ, ଉଦେଶ୍ୟ ଓ ରାଷ୍ଟ୍ର ପାଇଁ ଆରଏସଏସ କଣ କରୁଛି ତାହା ଲୋକଙ୍କୁ ବୁଝାଇବ । ସାମାଜିକ ସଦଭାବ କାର୍ଯ୍ୟକ୍ରମ, ସଂଗୋଷ୍ଠୀ କାର୍ଯ୍ୟକ୍ରମ, ଦେଶର ସମସ୍ୟା, ସମସ୍ୟା ଦୂରୀକରଣ ଦିଗରେ ବିସ୍ତୃତ ଆଲୋଚନାଚକ୍ର ଆୟୋଜନ ହେବ । ଏହାଛଡା ରାଷ୍ଟ୍ରିୟ ସ୍ବୟଂସେବକ ସଂଘ ଶତବାର୍ଷିକୀ ଉପଲକ୍ଷେ ୫ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ଥିର କରିଛି ।