ଫୁଲବାଣୀ,୧୨/୯: ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଦୋଷୀକୁ ୧୬ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ୯ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ ଦେଇଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗବାଡି ଥାନା ଅଧିନ ପାଙ୍ଗାଲି ଗ୍ରାମର ହର୍ମି ମଲିକ (୨୭) ।
ସୁଚନା ଅନୁସାରେ, ୧୪ ବର୍ଷୀୟା ପିଡିତା ଜଣକ ଗତ ସେପ୍ଟେମ୍ବର ୧ ତାରିଖ ଦିନ ଡ୍ରେସ୍ କିଣିବା ପାଇଁ ଦାରିଙ୍ଗିବାଡ଼ି ବଜାରକୁ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କୁ ବଜାରରେ ଛାଡି ଦେବି କହି ପୀଡିତାଙ୍କୁ ଏକ ଅଟୋ ରିକ୍ସାରେ ବସାଇଥିଲେ। ପରେ ପୀଡିତାଙ୍କୁ ପାଙ୍ଗାଲି ଜଙ୍ଗଲକୁ ନେଇ ସେଠାରେ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ।
ଏତିକିରେ ଅଭିଯୁକ୍ତର ମନ ବୁଝିନଥିଲା, ଏ କଥା କାହାରିକୁ କହିଲେ ଜୀବନରୁ ମାରିଦେବା ଧମକ ମଧ୍ୟ ଦେଇଥିଲା ନର ରୁପି ପିଶାଚ। ପରେ ପିଡିତାଙ୍କୁ ପୁଣି ଅଟୋ ରିକ୍ସାରେ ବସାଇ ଗାଁ ପାଖରେ ଛାଡ଼ି ଦେଇ ଚାଲିଯାଇଥିଲା ଅଭିଯୁକ୍ତ। ପିଡିତା ଘର ଲୋକମାନଙ୍କୁ ଏହି ଘଟଣା ସମ୍ପର୍କରେ କହିବା ପରେ ଏନେଇ ଦାରିଙ୍ଗିବାଡ଼ି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଶୁକ୍ରବାର ପୋକସୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ମାମଲାର ବିଚାର କରି ୧୭ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ପିଡିତାଙ୍କୁ କ୍ଷତି ପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଥିଲେ।