ଧଉଳି, ୨୦/୧୦ : ଗୟା ଶ୍ରାଦ୍ଧ ପାଇଁ ପରିବା ହାଟରେ ଲାଗିଛି ନାହିଁ ନଥିବା ଭିଡ଼। ଏହାର ଫାଇଦା ଉଠାଇ ମୋବାଇଲ ଫୋନ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଗଲେ ବାପା-ପୁଅ। ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ନୂଆଗାଁ ପେଟ୍ରୋଲ ପମ୍ପ ନିକଟ ପରିବା ମାର୍କେଟରେ ଏହି ଘଟଣା ଘଟିଛି। ଶ୍ରୀ ଲିଙ୍ଗରାଜ ଥାନା ପିସିଆର ଘଟଣାସ୍ଥଳରେ ପହଞ୍ଚି ବାପ, ପୁଅକୁ ଉଦ୍ଧାର କରି ଧଉଳି ଥାନା ଜିମା ଦେଇଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାନୁଯାୟୀ, ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ନୂଆଗାଁ ପେଟ୍ରୋଲ ପମ୍ପ ନିକଟ ପରିବା ମାର୍କେଟରେ ଆଜି ନାହିଁ ନଥିବା ଭିଡ଼ ଲାଗିଥିଲା। ଏହାର ସୁଯୋଗ ନେଇ ଦୁଇ ବାପା-ପୁଅ ମୋବାଇଲ୍ ଲୁଟ୍ ଉଦ୍ୟମ କରୁଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ କାବୁ କରି ନିର୍ଦ୍ଧୁମ୍ ଛେଚିଥିଲେ। ଖବର ପାଇ ଶ୍ରୀ ଲିଙ୍ଗରାଜ ଥାନା ପିସିଆର ଘଟଣାସ୍ଥଳରେ ପହଞ୍ଚି ବାପ, ପୁଅକୁ ଉଦ୍ଧାର କରି ଧଉଳି ଥାନା ଜିମା ଦେଇଛି। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୁଲିସ ବାପ ପୁଅକୁ ପଚରା ଉଚରା କରୁଛି। ଲୁଟେରାଙ୍କ ନିକଟରୁ କୌଣସି ଚୋରି ମୋବାଇଲ ଉଦ୍ଧାର ହୋଇନାହିଁ । ୨ ଅଟକ ଯାଜପୁର ଜିଲ୍ଲା କୋରେଇ ଥାନା ଯାଜପୁର ରୋଡ ଅଞ୍ଚଳର ପି. ନାଗରଜୁ (୪୦ ବର୍ଷ) ଏବଂ ତାଙ୍କ ପୁଅ ପି. ରାହୁଲ (୨୧ ବର୍ଷ)। ପି. ନାଗରଜୁଙ୍କ ପତ୍ନୀ ଥାନାରେ ପହଞ୍ଚି ଆମେ ଲଙ୍ଗିପୁର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଆସିଥିବା କଥା କହୁଥିବା ବେଳେ ନୂଆଗାଁ ଅଞ୍ଚଳରେ ରହୁଥିବା ଜଣେ ଫାଦରଙ୍କ ଘରକୁ ପ୍ରାର୍ଥନା କରିବାକୁ ଆସିଥିଲୁ ବୋଲି ବାପ ଏବଂ ପୁଅ କହୁଛନ୍ତି। ପ୍ରକୃତ ଘଟଣା କଣ ପୁଲିସ ତଦନ୍ତ ପରେ ଜଣାପଡିବ।