ନୂଆଦିଲ୍ଲୀ: ଶୁକ୍ରବାର ମହାରାଷ୍ଟ୍ରରୁ ଏକ ହୃଦୟ ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଖବର ମୁତାବକ, ସତାରାର ଜିଲ୍ଲାରେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟକରୁଥିବା ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ଡାକ୍ତର ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ହାତରେ ଏକ ସୁଇସାଇଡ ନୋଟ୍ ଲେଖି ଯାଇଛନ୍ତି। ଏହି ଘଟଣା ଗୁରୁବାର ଦିନ ଫଲଟନ୍ ଉପ-ଜିଲ୍ଲା ହସ୍ପିଟାଲରେ ଘଟିଛି। ଡାକ୍ତର ସମ୍ପଦ ମୁଣ୍ଡେ ନାମକ ମୃତକ ମହିଳା ଜଣକ ତାଙ୍କ ହାତରେ ସୁଇସାଇଡ ନୋଟ୍ ଲେଖି ଜଣେ ପୋଲିସ ଅଧିକାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଯେଉଁଥିପାଇଁ ସେ ଏହି ଚରମ ପଦକ୍ଷେପ ନେଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଉକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଲାଗିଥିବା ଗମ୍ଭୀର ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଫଲଟନର ଏକ ହୋଟେଲ ରୁମରେ ପୀଡିତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ଯାହା ପରେ ପୋଲିସକୁ ଖବର ଦିଆଯାଇଥିଲା ବୋଲି ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।

ମୃତ ମହିଳା ଜଣକ ବୀଡ ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବା ବେଳେ ସେ ଫଲଟନ ତହସିଲରେ ଥିବା ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ। ପୀଡିତା ତାଙ୍କ ହାତ ପାପୁଲିରେ ଲେଖିଯାଇଥିବା ଏକ ସୁଇସାଇଡ ନୋଟରେ ଅଭିଯୋଗ କରିଛନ୍ତି ଯେ, ଗତ ପାଞ୍ଚ ମାସ ମଧ୍ୟରେ ଦୁଇ ଜଣ ପୋଲିସ ଅଧିକାରୀ ତାଙ୍କୁ ବାରମ୍ୱାର ଦୁଷ୍କର୍ମ କରିବା ସହ ଘୋର ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ଗୋପାଳ ବଡାନେ ନାମକ ଜଣେ ସବଇନ୍ସପେକ୍ଟର ତାଙ୍କୁ ଅନେକ ଥର ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଦେଇଥିବା ବେଳେ ପ୍ରଶାନ୍ତ ବାଙ୍କର ନାମକ ଆଉ ଜଣେ ପୋଲିସ କର୍ମଚାରୀ ତାଙ୍କୁ ବାରମ୍ୱାର ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ସତାରା ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ "ଆମେ ଏନେଇ ଏକ ମାମଲା ରୁଜୁ କରିଛୁ ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛୁ। ଆମେ ପୀଡିତାଙ୍କ ହାତରେ ଲେଖାଥିବା ସୁଇସାଇଡ ନୋଟରେ ହୋଇଥିବା ଅଭିଯୋଗଗୁଡ଼ିକୁ ନେଇ ମଧ୍ୟ ତଦନ୍ତ ଆରମ୍ଭ କରୁଛୁ। ଉକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗଗୁଡ଼ିକର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଉଛି" ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।