ନୂଆଦିଲ୍ଲୀ, ୮/୯: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ରେ ଜାତୀୟ ଜନଗଣନା । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏଥର ଜାତୀୟ ଜନଗଣନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ ମୋଡ୍ରେ ହେବ । ପ୍ରାୟ ୩୪ଲକ୍ଷ କର୍ମଚାରୀ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ କାମ କରିବେ । ରେଜିଷ୍ଟାର ଜେନେରାଲଙ୍କ ଦ୍ବାରା ମୁତୟନ ହୋଇଥିବା ପର୍ଯ୍ୟବେକ୍ଷକ ଏବଂ ଜନଗଣନା ପାଇଁ ନିୟୋଜିତ କର୍ମଚାରୀମାନେ ନିଜ ସ୍ମାର୍ଟ ଫୋନରେ ତଥ୍ୟ ସଂଗ୍ରହ କରି ଏକ ଆପ୍ଲିକେସନ୍ ମାଧ୍ୟମରେ ଡାଟାକୁ ସେଣ୍ଟ୍ରାଲ୍ ସର୍ଭରରେ ଟ୍ରାନ୍ସଫର କରିବେ ।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ହେବାକୁ ଥିବା ଜନଗଣନା କାର୍ଯ୍ୟରେ ସମସ୍ତ କର୍ମଚାରୀ ତଥ୍ୟ ସଂଗ୍ରହ ପାଇଁ ଏକ ମୋବାଇଲ୍ ଆପ୍ଲିକେସନକୁ ବ୍ୟବହାର କରିବେ । ତେବେ ଏହି ଆପ୍ ୨୦୨୧ ଜନଗଣନା କାର୍ଯ୍ୟ ପାଇଁ ବିକଶିତ କରାଯାଇଥିଲା । ଏହି ଅପ୍ଲିକେସନ ଅଣ୍ଡ୍ରୋଏଡ୍ ଓ ଆଇଓଏସ୍ ଅପରେଟିଂ ସିଷ୍ଟମରେ ସପୋର୍ଟ କରିବ । ଏଥିରେ ଇଂରାଜୀ ସହିତ ଅନ୍ୟ ଭାଷା ମଧ୍ୟ ଉପଲବ୍ଧ ରହିବ । ସୂଚନା ଅନୁଯାୟୀ, ୪ ବର୍ଷ ପୂର୍ବର ଏହି ଆପ୍ଲିକେସନକୁ ଡିଜିଟାଲ୍ ଜନଗଣନା ପାଇଁ ସମ୍ପୂର୍ଣ୍ଣ ଭାବେ ବିକଶିତ କରାଯାଇଛି । ଏଥିରେ ସରଳ ସେଟିଂସ୍ ରହିଛି, ଯାହାକୁ ଜନଗଣନା କର୍ମଚାରୀମାନେ ସହଜରେ ବ୍ୟବହାର କରିପାରିବେ ।
ପ୍ରଥମ ଥର ପାଇଁ ସମସ୍ତ ଭବନକୁ ଜିଓ-ଟ୍ୟାଗିଂ:
ସୂଚନା ଅନୁଯାୟୀ, ୨୦୧୧ରେ ସାମାଜିକ ଏବଂ ଆର୍ଥିକ ଜାତି ଜନଗଣନା ସମୟରେ କର୍ମଚାରୀମାନେ ବିନା କାଗଜ କଲମ ବ୍ୟବହାର କରି ତଥ୍ୟ ସଂଗ୍ରହ କରିଥିଲେ । ଏହି କାମ ପାଇଁ ସେମାନଙ୍କୁ ଟାବଲେଟ୍ ଦିଆଯାଇଥିଲା, ଯାହାକୁ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ଉପଲବ୍ଧ କରାଇଥିଲା । ରିପୋର୍ଟରେ କୁହାଯାଇଛି, ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ ମୋଡରେ ହେବା ଯୋଗୁ ୨୦୨୭ ସେନସସ୍ ପ୍ରଥମ ଥର ପାଇଁ ସମସ୍ତ ସମୁଦାୟ ଏବଂ ଅଣସମୁଦାୟଙ୍କ ଘର ଗୁଡ଼ିକୁ ଜିଓ ଟ୍ୟାଗିଂ କରାଯିବ ।
କର୍ମଚାରୀଙ୍କ ସ୍ତରରେ ସମ୍ପୂର୍ଣ୍ଣ ଡାଟା ଡିଜିଟାଲାଇଜେସନ:
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ଯଦି ଜନଗଣନା କର୍ମଚାରୀ କୌଣସି ବୈଷୟିକ ତ୍ରୁଟି ପାଇଁ କାଗଜ କଲମ ବ୍ୟବହାର କରନ୍ତି, ତେବେ ସେମାନେ ସମସ୍ତ ତଥ୍ୟକୁ ଏକ ନିଦ୍ଧିଷ୍ଟ ପୋର୍ଟାଲରେ ଅପଲୋଡ୍ କରିବେ । କାରଣ ପରେ ଯେପରି ଏହାକୁ ସ୍କାନିଂ କିମ୍ବା ଡାଟା ଏଣ୍ଟ୍ରିଂ କରିବାକୁ ପଡ଼ିବ ନାହିଁ । ତେବେ ପ୍ରଥମ ଥର ପାଇଁ ଜନଗଣନା, କର୍ମଚାରୀଙ୍କ ସ୍ତରରେ ଡିଜିଟାଲାଇଜେସନ୍ କରାଯିବ । ଏହାଦ୍ବାରା ଜାତୀୟ ଜନଗଣନାର ରେଜଲ୍ଟ ଶୀଘ୍ର ଆସିବାର ସମ୍ଭାବନା ରହିଛି ।...