ଗୁରୁଗ୍ରାମ: ହରିୟାଣାର ମାନେସର ଆଇଏମଟି ଚୌକ ନିକଟରେ ରବିବାର ସକାଳେ ଜଣେ ବିଦେଶୀ ମହିଳାଙ୍କ ଅର୍ଧନଗ୍ନ ମୃତଦେହ ମିଳିବା ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ମାମଲାରେ ସନ୍ଦିଗ୍ଧ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ମହିଳାଙ୍କୁ ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଘଟଣାସ୍ଥଳରେ ମହିଳାଙ୍କ ଶରୀରରେ ଅଳ୍ପ ପୋଷାକ ଥିବା ଦେଖାଯାଇଥିଲା ଯେଉଁଥିରେ ତାଙ୍କ ଶରୀରର ଉପରି ବାଗରେ କିଛି ପୋଷାକ ଥିବା ବେଳେ ତଳ ଅଂଶ ସମ୍ପୂର୍ଣ୍ଣ ଅନାବୃତ ଥିଲା। ପୋଲିସ ସକାଳ ୬ଟା ସମୟରେ ଦିଲ୍ଲୀ-ଜୟପୁର ହାଇୱେର ଆଇଏମଟି ଚୌକ ନିକଟରେ ମୃତଦେହ ପଡିଥିବା ନେଇ ସୂଚନା ପାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ବିଦେଶୀନି ମହିଳା ଜଣଙ୍କ ଆଫ୍ରିକୀୟ ମୂଳର ହୋଇପାରନ୍ତି, କିନ୍ତୁ ତାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ପୋଲିସ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଜାରି ରଖିବା ସହ ଫରେନସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପରୀକ୍ଷା ନୀରିକ୍ଷା ଜାରି ରଖିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଯାଇ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ତେବେ ପୋଲିସ ସନ୍ଦେହ କରୁଛି ଯେ ଉକ୍ତ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ପରେ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦିଆଯାଇଥାଇପାରେ କିମ୍ବା ଫ୍ଲାଇଓଭରରୁ ତଳକୁ ଠେଲି ଦିଆଯାଇଥାଇପାରେ।

ଗିରଫ ହୋଇଥିବା ସନ୍ଦିଗ୍ଧ ଡ୍ରାଇଭରଙ୍କୁ ଜେରା କରାଯାଉଛି, ଏବଂ ପୋଲିସ ଏହି ଘଟଣାରେ ସମ୍ପର୍କ ଥିବା ଅନ୍ୟ ସମ୍ଭାବ୍ୟ ସନ୍ଦିଗ୍ଧମାନଙ୍କୁ ଖୋଜିବା ଜାରି ରଖିଛି। ଏହି ଘଟଣା ମାନେସର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ଏବଂ ସ୍ଥାନୀୟ ଲୋକମାନେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।