ମୋହନା, ୨।୯ : ଗଜପତି ଜିଲ୍ଲା ମୋହନା ଗୋଛାଗୁଡାରେ ବନ ବିଭାଗର ଚଢ଼ାଉ। ୨ ଜଣ ଶିକାରୀ ଗିରଫ। ବାଘ ଦାନ୍ତ, ଧନୁ ତୀର ସହ ଫାଶ ଜବତ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୋଛାଗୁଡା ଗାଁର ଲୁଲୁ ମଲିକ ଓ ସହଦେବ ମଲିକ।
ସୂଚନାନୁଯାୟୀ, ମାସକ ତଳେ ମୋହନା ଗୋଛାଗୁଡ଼ା ଗାଁ ନିକଟରୁ ଅଭିଯୁକ୍ତମାନେ କଲରାପତରିଆ ବାଘ ଶିକାର କରି ରବିବାର ଭଞ୍ଜନଗର ଆଣି ଛାଲ ଓ ଦାନ୍ତ ବିକ୍ରି କରୁଥିଲେ। ଏନେଇ ଖବର ପାଇବା ପରେ ଭଞ୍ଜନଗର ବନ ବିଭାଗ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା। ଚିତ୍ରଙ୍କ ସୂଚନା ଆଧାରରେ ସୋମବାର ପାରଳାଖେମୁଣ୍ଡି ଏସିଏଫ ସାଇନିଶ୍ରୀ ଦାସ, ଭଞ୍ଜନଗର ଏସିଏଫ ବିମଳ ପ୍ରଧାନଙ୍କ ନେତୃତ୍ୱରେ ଗୋଛାଗୁଡା ଗାଁରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ଚିତ୍ର ମଲିକଙ୍କ ପୁଅ ସହଦେବଙ୍କ ଘରୁ ୨ଟି ବାଘଦାନ୍ତ, ଗୋଟିଏ ଧନୁ ତୀର ଓ ୪ଟି ଫାଶ ଜବତ ହୋଇଥିଲା। ବାଘ ଛାଲ କାରବାର ଅଭିଯୋଗରେ ବନ ବିଭାଗ ସହଦେବ ଓ ତାଙ୍କ ସହଯୋଗୀ ଲୁଲୁଙ୍କୁ ଗିରଫ କରିଥିଲା।
ଗିରଫ ଅଭିଯୁକ୍ତମାନଙ୍କୁ ଭଞ୍ଜନଗର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ଚଢ଼ାଉରେ ପାରଳାଖେମୁଣ୍ଡି ଏସିଏଫ, ଭଞ୍ଜନଗର ଏସିଏଫ, ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁରୁ, ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥୀ, ପୋଡାମାରି ବନପାଳ ସୁନୀଲ ମଣ୍ଡଳ, ଭଞ୍ଜନଗର ବନପାଳ ଅନୁପ ବିଷୋୟୀ, ବନ ରଖି ଜୀବନ ତ୍ରିପାଠୀ, ସୁଶାନ୍ତ ଶେଖର ମିଶ୍ର, କ୍ଷେତ୍ରବାସୀ ମହାଙ୍କୁଡ, ବସନ୍ତ ସାହୁ ଓ ବନ୍ଧ୍ୟା ଗମାଙ୍ଗଙ୍କ ସମେତ ବନ କର୍ମଚାରୀ ସାମିଲ ଥିଲେ।