ବେଲପାହାଡ,୨/୯ : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦରେ ଆର୍ଥିକ ଅନିୟମିତତା ଘଟଣାରେ ବେଲପାହାଡର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ l ୨୦୨୪-୨୫ବର୍ଷରେ କୋଟି କୋଟି ଟଙ୍କାର ହେରଫେର କରି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିଲେ ବେଲପାହାଡ ପୌରପରିଷଦର ପୂର୍ବତନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ l
ଇଓଡବ୍ଲ୍ୟୁ ଏହି ଘଟଣାର ତଦନ୍ତ କରି ଆଜି ମଧୁସ୍ମିତା ସିଂକୁ ଗିରଫ କରିଥିବା ନେଇ ଆଜି ଅପରାହ୍ନ ୪ଟା ସମୟରେ ସୂଚନା ମିଳିଛି l ଅନ୍ୟପଟେ ଏହି ଘଟଣାରେ ପୂର୍ବରୁ ପୌରପରିଷଦ ଆକାଉଣ୍ଟାଣ୍ଟ ବିଭୁତି ଭୂଷଣ ସାହୁ ଗିରଫ ହୋଇଥିବାବେଳେ ସାନିଟାରୀ ଏକ୍ସପର୍ଟ ସୋମ୍ୟ ବିଶ୍ୱରଞ୍ଜନ ମହାଳି ଗତ ୧୮ତାରିଖରୁ ଫେରାର ଅଛନ୍ତି l ଏହି ଘଟଣାର ତଦନ୍ତ ଏବେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ) କରୁଛି l ପୂର୍ବରୁ ମଧ୍ୟ ଇଓଡବ୍ଲ୍ୟୁର ଦୁଇ ଜଣିଆ ଟିମ୍ ବେଲପାହାଡ ପୌର ପରିଷଦ ଆସି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ l
ଏହାସହ ସ୍ୱତନ୍ତ୍ର ଅଡ଼ିଟ ଟିମ୍ ମଧ୍ୟ ଅଡିଟ ଶେଷ କରି ନିଜ ରିପୋର୍ଟ ଦାଖଲ କରି ସାରିଛି l ଏହି ଦୁର୍ନୀତି ନେଇ ବେଲପାହାଡ ନଗରପାଳ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବେଲପାହାଡ଼ ଥାନାରେ ଅଭିଯୋଗ କରିଥିବାବେଳେ ଗତ ୧୮ତାରିଖ ବେଲପାହାଡ଼ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ବେଲପାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏହାପରେ ପ୍ରଥମେ ବେଲପାହାଡ଼ ପୋଲିସ ଏବଂ ପରେ ଇଓଡ଼ବ୍ଲ୍ୟୁ ତଦନ୍ତ ଆରମ୍ଭ କରିଛି l ତେବେ ୨୦୨୪-୨୫ଆର୍ଥିକ ବର୍ଷରେ ବେଲପାହାଡ ପୌରପରିଷଦର ବିଭିନ୍ନ ପାଣ୍ଠିରୁ କେତେ କୋଟି ଟଙ୍କା ଆତ୍ମସାତ ହୋଇଛି ତାହା ତଦନ୍ତ ଶେଷ ପରେ ଜଣାପଡ଼ିବ l