ଲହୁଣୀପଡ଼ା, ୧୫/୧୦; ପରଲୋକରେ ପୂର୍ବତନ ବଣାଇ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ର । ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ଥିଲେ । ଲହୁଣୀପଡ଼ା ବ୍ଲକ୍ ଖୁଣ୍ଟାଗାଁ ନୂଆଡ଼ିହି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ହେମେନ୍ଦ୍ରଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ଏବଂ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଠ ଲୋକ ଘରେ ପହଞ୍ଚିଛନ୍ତି ।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀରେ ତିନି ଥର ବିଧାୟକ ଥିଲେ ହେମେନ୍ଦ୍ର ପ୍ରସାଦ ମହାପାତ୍ର । ସେ ୧୯୬୧ରୁ ୧୯୭୩ ମସିହା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଓ ଗଣପରିଷଦରୁ ତିନି ଥର ବଣାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବହୁ ବିଶିଷ୍ଟ ଲୋକ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।