ନୂଆଦିଲ୍ଲୀ: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ବର୍ତ୍ତମାନ ପ୍ରୋଷ୍ଟେଟ କର୍କଟ ରୋଗରେ ପୀଡିତ ହୋଇ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସହ ଯୁଝୁଛନ୍ତି। ବର୍ତ୍ତମାନ ତାଙ୍କୁ ଚିକିତ୍ସାର ଏକ ନୂତନ ପର୍ଯ୍ୟାୟରେ ବିକିରଣ ଏବଂ ହରମୋନ ଥେରାପି ଦିଆଯାଉଛି। ଏନେଇ ଶନିବାର ତାଙ୍କର ଜଣେ ସହଯୋଗି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

ଖବର ମୁତାବକ, ବାଇଡେନଙ୍କ ସହଯୋଗୀ କେଲି ସ୍କଲି କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ବର୍ତ୍ତମାନ ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବିକିରଣ ଏବଂ ହରମୋନ ଥେରାପି ନେଉଛନ୍ତି। ତେବେ ତାଙ୍କୁ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଗୁରୁତର ଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି।

ଆପଣଙ୍କୁ ଜଣାଇରଖୁ ଯେ, ଡେମୋକ୍ରାଟିକ ପାର୍ଟି ନେତା ବାଇଡେନ (82) ଗତ ଜାନୁଆରୀ ମାସରେ ରାଷ୍ଟ୍ରପତି ପଦ ଛାଡିଥିଲେ। ତେବେ ନିର୍ବାଚନର ମାତ୍ର ଛଅ ମାସ ପୂର୍ବରୁ ସେ ତାଙ୍କର ପୁନଃନିର୍ବାଚନ ଦାବି ପ୍ରତ୍ୟାହାର କରିଥିଲେ। ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଖରାପ ବିତର୍କ ଏବଂ ତାଙ୍କ ବୟସ, ସ୍ୱାସ୍ଥ୍ୟ ଏବଂ ମାନସିକ କ୍ଷମତା ବିଷୟରେ ବଢ଼ୁଥିବା ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ। ନିର୍ବାଚନରେ ଟ୍ରମ୍ପ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କୁ ପରାସ୍ତ କରିଥିଲେ।

ବାଇଡେନ ପଦ ଛାଡିବା ପରେ ଗତ ମେ ମାସରେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ପ୍ରୋଷ୍ଟେଟ କର୍କଟ ହୋଇଥିବା ନେଇ ଘୋଷଣା କରାଯାଇଥିଲା। ତେବେ ଏହି କ୍ୟାନସର ତାଙ୍କ ଅସ୍ଥି ମଜ୍ଜାକୁ ବ୍ୟାପିଯାଇଥିବା ଜଣାପଡିଛି। ବାଇଡେନ ପରିସ୍ରା ଜନିତ କିଛି ସମସ୍ୟା ବିଷୟରେ ଜଣାଇବା ପରେ ଏହି ସୂଚନା ପ୍ରକାଶ ପାଇଥିଲା।

ପ୍ରୋଷ୍ଟେଟ କର୍କଟ ରୋଗର ଗମ୍ଭୀରତା ମାପିବା ପାଇଁ ଗ୍ଲିସନ ସ୍କୋର ନାମକ ଏକ ସିଷ୍ଟମ ବ୍ୟବହାର କରାଯାଏ। ଏହି ସ୍କୋର ରୋଗର ଗମ୍ଭୀରତା ଉପରେ ନିର୍ଭର କରି 6 ରୁ 10 ପର୍ଯ୍ୟନ୍ତ ସ୍କୋର ପ୍ରଦାନ କରିଥାଏ  8, 9 ଏବଂ 10 ସ୍କୋର ଥିବା କର୍କଟ ରୋଗକୁ ସବୁଠାରୁ ଆକ୍ରମଣାତ୍ମକ ବୋଲି ବିବେଚନା କରାଯାଏ। କାରଣ ଏହି ସ୍କୋରର କର୍କଟ ରୋଗ ଦ୍ରୁତ ଗତିରେ ବଢ଼ିଥାଏ। ବାଇଡେନଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ ତାଙ୍କର ସ୍କୋର ନଅ ଥିଲା ଯାହା ଏକ ଅତ୍ୟନ୍ତ ଆକ୍ରମଣାତ୍ମକ ପ୍ରକାରର କର୍କଟ ରୋଗକୁ ସୂଚିତ କରେ।

ଗତ ମାସରେ, ବାଇଡେନ ନିଜର ଚର୍ମ କର୍କଟ ଅପସାରଣ କରିବା ପାଇଁ ତାଙ୍କ କପାଳରେ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରମାନେ ତାଙ୍କ ଚର୍ମରେ ଥିବା ଛୋଟ ଛୋଟ କର୍କଟ ରୋଗର କ୍ଷତକୁ ଅସ୍ତ୍ରୋପଚାର ମାଧ୍ୟମରେ କାଢି ଦେଇଥିଲେ।