ଭୁବନେଶ୍ୱର, ୦୬/୦୯ : ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ। ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଉପସ୍ଥିତିରେ ସମ୍ପ୍ରସାରିତ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ନୂଆ ପୁରୁଣାକୁ ମିଶାଇ ଅତିଥି ଭବନର ରୁମ୍ ସଂଖ୍ୟା ୫୭କୁ ବୃଦ୍ଧି ପାଇବ। ଭୁବନେଶ୍ୱରକୁ ଆସୁଥିବା ପୂର୍ବତନ ବିଧାୟକମାନେ ସୁବିଧାରେ ଏହି ଅତିଥି ଭବନରେ ରହିପାରିବେ। 

ସୂଚନାନୁଯାୟୀ, ପୁରାତନ ଅତିଥି ଭବନରେ ୨୩ଟି ରୁମ୍‌ ଥିବାବେଳେ ଏବେ ସ୍ଥାନ ଅଭାବର ସମସ୍ୟା ଦେଖାଦେଉଛି । ଏଥିପାଇଁ ୩ କୋଟି ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ସମ୍ପ୍ରସାରିତ ଅଟ୍ଟାଳିକାର କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଆଜି ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ କରାଯାଇଛି। ଏହି ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ମୋଟ ୧୬ଟି ରୁମ୍‌ ନିର୍ମାଣ ହେବାକୁ ଥିବାବେଳେ ଏହିସବୁ ବିଲ୍‌ଡିଂ ଲିଫଫ ଦ୍ୱାରା ସଂଯୁକ୍ତ ହେବ। ମୋଟ ୯ ହଜାର ବର୍ଗଫୁଟରୁ ଊର୍ଦ୍ଧ୍ୱ ସ୍ଥାନରେ ନିର୍ମାଣ କାର୍ଯ୍ୟ ହେବ। ଆଗାମୀ ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ଦ୍ୱାରା ସମୁଦାୟ ରୁମ୍‌ ସଂଖ୍ୟା ୩୯କୁ ବୃଦ୍ଧି ପାଇବ। ଅନ୍ୟ ପକ୍ଷରେ ବିଧାନସଭାର ଓଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ନୂତନ ଅତିଥି ଭବନରେ ୧୮ଟି ରୁମ୍‌ ରହିଥିବା ବେଳେ ନୂଆ ଓ ପୁରୁଣାକୁ ମିଶାଇ ରୁମ୍‌ ସଂଖ୍ୟା ୫୭ ହେବ । ଏହି ଅତିଥି ଭବନ ପାଇଁ ଏବେ ଅନ୍‌ଲାଇନ୍‌ର ବୁକିଂର ସୁବିଧା କରାଯିବା ସହ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ଆହୁରି ସମନ୍ୱିତ ହେବ। ଏହା ଦ୍ୱାରା ଅତିଥି ଭବନରେ ରହଣି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଓ ଆରାମଦାୟକ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଓ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।