ପାଟନା ୨୮/୦୯: ପ୍ରେମିକକୁ ପଥରରେ ଛେଚି ହତ୍ୟା କଲା ପ୍ରେମିକା। ପରେ ନିଜେ ପୋଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଲା। ଏପରି କିଛି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ଘଟିଛି ପାଟନା କଙ୍କବାଗ ଥାନା ଅଞ୍ଚଳର ଚିରାଇୟାନ୍ତାଡରେ

ପୁଲିସ ସୂଚନା ଅନୁଯାୟୀ, ପୂଜା ନାମକ ଜଣେ ମହିଳା ଗତ ପାଞ୍ଚ ବର୍ଷ ଧରି ତାଙ୍କ ପ୍ରେମିକ ମୁରାରିଙ୍କ ସହିତ ଲିଭଇନ୍‌ ସମ୍ପର୍କରେ ରହୁଥିଲେମୁରାରି ପ୍ରାୟ ଚାରି ବର୍ଷ ଧରି ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଆସୁଥିଲେ। ବହୁ ଚାପ ପରେ ଶେଷରେ ସେ ଦଶହରାରେ ତାଙ୍କୁ ବିବାହ କରିବାକୁ କଥା ଦେଇଥିଲେ। ଯେତେବେଳେ ପୂଜା ଶୁକ୍ରବାର ଦିନ ରାତିରେ ବିବାହ କଥା ଉଠାଇଲେ, ମୁରାରି ତାହାକୁ ଏଡାଇ ଦେଇଥିଲେ। ସେଠାରୁ ପରିସ୍ଥିତି ଖରାପ ହେଲା, ଏବଂ କିଛି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା। ତା'ପରେ ଦୁହେଁ ଶାନ୍ତ ହୋଇଗଲା। ବିଳମ୍ବିତ ରାତିରେ, ଯେତେବେଳେ ମୁରାରି ଶୋଇଥିଲେ, ଅଭିଯୁକ୍ତ ମହିଳା ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ

ତେବେ ପୂଜା ପୂର୍ବରୁ ବିବାହିତ ଥିଲେକିନ୍ତୁ ବିବାଦ ଯୋଗୁଁ, ଦମ୍ପତି ଅଲଗା ରହୁଥିଲେ। ତାଙ୍କର ପୂର୍ବ ସ୍ୱାମୀଙ୍କଠାରୁ ଏକ ଝିଅ ମଧ୍ୟ ଅଛି। ମୁରାରି ବେଙ୍ଗାଲୁରୁରେ ଡ୍ରାଇଭର ଭାବରେ କାମ କରୁଥିଲେ । ଚଳିତ ବର୍ଷ ସେପ୍ଟେମ୍ବର ୧୬ ତାରିଖରେ ପାଟନା ଫେରି ଆସି ପୂଜାଙ୍କ ସହିତ ଏକ ଭଡା ଘରେ ରହୁଥିଲେ।

ଅନ୍ୟପଟେ ମୁରାରିଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ପୂଜା ମୁରାରିଙ୍କ ଜମି ଏବଂ ଟଙ୍କା ହଡ଼ପ କରିବାକୁ ଚାହୁଁଥିଲେ। ମୁରାରି ମସୌରିରେ ଜମି କିଣିବାକୁ ଯାଉଥିଲେ ଏବଂ ସମ୍ପ୍ରତି ତାଙ୍କ ଭଉଣୀଙ୍କଠାରୁ ଏକ ଲକ୍ଷ ଟଙ୍କା ଋଣ ନେଇଥିଲେ। ହେଲେ ପୂଜା ତାଙ୍କ ନାମରେ ସମ୍ପତ୍ତି ପଞ୍ଜିକୃତ କରିବାକୁ ଚାହୁଁଥିଲେ, କିନ୍ତୁ ମୁରାରି ମନା କରିଦେଇଥିଲେ। ପୂଜା ପ୍ରଥମେ ତାଙ୍କ ଭାଇକୁ ଖାଦ୍ୟରେ ନିଦ ବଟିକା ଦେଇ ବେହୋସ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ।