ନୂଆଦିଲ୍ଲୀ: ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଯାହା ଅନୁଯାୟୀ, ୨୦ ବର୍ଷ କିମ୍ବା ଅଧିକ ସେବା ପୂର୍ଣ୍ଣ କରିଥିବା କର୍ମଚାରୀମାନେ ସ୍ୱୈଚ୍ଛିକ ସେବାନିବୃତ୍ତି (Voluntary Retirement Scheme - VRS) ନେବା ପରେ ପ୍ରୋ-ରାଟା (pro-rata) ଆଧାରରେ ନିଶ୍ଚିତ ଦେୟ (assured payout) ପାଇବେ, ଯାହା ପେନ୍ସନ୍ ପାଇବାର ଅଧିକାର ଭାବେ କାର୍ଯ୍ୟ କରିବ। ଏହି ସୂଚନା କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ (DoPT) ଦ୍ୱାରା ମଙ୍ଗଳବାର ଦିଆଯାଇଛି।
ପୂର୍ବରୁ, କେନ୍ଦ୍ରୀୟ କର୍ମଚାରୀମାନେ ରାଷ୍ଟ୍ରୀୟ ପେନ୍ସନ୍ ପ୍ରଣାଳୀ (NPS) ଅଧୀନରେ ଥିବାରୁ ପେନ୍ସନ୍ରେ ଅନିଶ୍ଚିତତା ରହୁଥିଲା। ତେବେ, ବର୍ତ୍ତମାନ ଏକୀକୃତ ପେନ୍ସନ୍ ଯୋଜନା (Unified Pension Scheme - UPS) ବାଛିଥିବା କର୍ମଚାରୀମାନେ VRS ନେବା ପରେ ନିଶ୍ଚିତ ପେନ୍ସନ୍ର ଲାଭ ଉଠାଇ ପାଇବେ।
୨୦ ବର୍ଷ ସେବା ପୂର୍ଣ୍ଣ କରି VRS ନେଇଥିବା କର୍ମଚାରୀମାନେ ସେବାର ସମାନୁପାତିକ (pro-rata) ଆଧାରରେ ପେନ୍ସନ୍ ପାଇବେ। ଅର୍ଥାତ୍, ସେବାର ଅନୁପାତରେ ପେନ୍ସନ୍ର ମୂଲ୍ୟାଙ୍କନ ହେବ। ଅନ୍ୟପଟେ ୨୫ ବର୍ଷ କିମ୍ବା ଅଧିକ ସେବା ପୂର୍ଣ୍ଣ କରିଥିବା କର୍ମଚାରୀମାନେ ପୂର୍ଣ୍ଣ ନିଶ୍ଚିତ ପେନ୍ସନ୍ ଫାଇବାର ହକଦାର ହେବେ।
ଅଧିକାଂଶ କେନ୍ଦ୍ରୀୟ କର୍ମଚାରୀଙ୍କର ପାଇଁ ନ୍ୟୁନତମ ୨୦ ବର୍ଷ ସେବା ଦେଇଥିବାର ଆବଶ୍ୟକତା ରହିଛି। ଏହା ପୂର୍ଣ୍ଣ ହେବା ପରେ ସେମାନେ VRS ନେଇ ପେନ୍ସନ୍ର ଲାଭ ନେଇପାରିବେ। ସେହିପରି ସରକାର ବିକଳ୍ପ ଭାବେ ସମସ୍ତ କର୍ମଚାରୀମାନଙ୍କ ପାଇଁ ନିଜ ପେନ୍ସନ୍ର ସ୍କିମ NPSରୁ UPSକୁ ବଦଳାଇବାର ସୁଯୋଗ ପ୍ରଦାନ କରିଛନ୍ତି। ଯାହା ନିଶ୍ଚିତ ପେନ୍ସନ୍ ପ୍ରଦାନ କରିବ। ଏହା କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା ଭାବେ ପରିଗଣିତ ହେଉଛି।
ଏହାଛଡା ଜଣେ VRS ନେବା ପରେ ଜଦି କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟେ ତେବେ ସରକାରଙ୍କ ତରଫରୁ ଏହି ରାଶି ତାଙ୍କ ଜୀବନସାଥୀ କିମ୍ୱା ତାଙ୍କ ପରିବାରକୁ ମିଳିବ ବୋଲି ଘୋଷଣା କରାଯାଇଛି।
ଏହି ଘୋଷଣା କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ସୃଷ୍ଟି କରିଛି। କାରଣ ଏହା NPSର ଅନିଶ୍ଚିତତାକୁ ଦୂର କରିବ ଏବଂ ପେନ୍ସନ୍ ପ୍ରକ୍ରିୟାକୁ ଆହୁରି ସରଳିକୃତ କରିବ। ତେବେ ଏନେଇ ଅଧିକ ବିବରଣୀ ପାଇଁ କାର୍ମିକ ମନ୍ତ୍ରଣାଳୟର ଅଧିକୃତ ଓ୍ୱେବସାଇଟ୍ ପରିଦର୍ଶନ କରନ୍ତୁ।