ମୁମ୍ବାଇ,୩୦/୧୦: ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ତମନ୍ନା ଭାଟିଆ । ତାଙ୍କର ଦମ୍ଦାର ଅଭିନୟ, ଚମତ୍କାର ନୃତ୍ୟ ପ୍ରଦର୍ଶନ ଓ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ପାଗଳ କରିଛି । ଆଉ ଏହାରି ମଧ୍ୟରେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଅଭିନେତ୍ରୀମାନଙ୍କର ବୟସକୁ ନେଇ ହେଉଥିବା ଚର୍ଚ୍ଚା ବିଷୟରେ ସେ ଖୋଲା କଥା ହୋଇଛନ୍ତି । ସେ କହିଛନ୍ତି, ବୟସ ବୃଦ୍ଧିକୁ ନେଇ ଭୟ କରିବା ଆଦୌ ଉଚିତ୍ ନୁହେଁ । ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ସେ ନିଜର ୧୦ ବର୍ଷର ଯୋଜନା କରିସାରିଥିଲେ ।ଏଥିରେ କ୍ୟାରିଅର୍ ସହିତ ବିବାହ ଓ ସନ୍ତାନ ବି ସାମିଲ ଥିଲେ । କିନ୍ତୁଗତ କିଛି ବର୍ଷରେ ମହିଳାଙ୍କୁ ନେଇ ଇଣ୍ଡଷ୍ଟ୍ରିର ଚିନ୍ତାଧାରା ବଦଳିଛି । ଏବେ ବୟସ ୩୦ ଟପିବା ପରେ ବି ଅଭିନେତ୍ରୀଙ୍କୁ ଭଲ ଓପରିପକ୍ୱ ଭୂମିକା ମିଳୁଛି । ସେଥିପାଇଁ ମହିଳାଙ୍କ ଭିତରେ ବୟସ ବୃଦ୍ଧିକୁ ନେଇ ଭୟ ରହିବା ଉଚିତ୍ ନୁହେଁ ।
ତମନ୍ନା କହନ୍ତି, କାମ କରିବା ସମୟରେ ବୟସବୃଦ୍ଧି ସହିତ ସେ ନିଜକୁ ଚିହ୍ନିଲେ । ଇତି ମଧ୍ୟରେ ଇଣ୍ଡଷ୍ଟ୍ରି ବି ମହିଳାଙ୍କୁ ଆକର୍ଷଣୀୟ ଭୂମିକା ଅଫର୍ ଦେବାକୁ ଲାଗିଲେ । ତାଙ୍କ ମତରେ, ଏହି ପରିବର୍ତ୍ତନ କେବଳ ଦେଶରେ ନୁହେଁ, ବିଶ୍ୱରେ ହୋଇଛି । କିନ୍ତୁ ଅନେକ ବୟସ ବୃଦ୍ଧିକୁ ଏକ ରୋଗ ଭଳି ଆଲୋଚନା କରୁଛନ୍ତି, ଯାହା ଆଦୌ ଉଚିତ୍ ନୁହେଁ । ତମନ୍ନା ଖୁବ୍ଶୀଘ୍ର ବିଶାଲ ଭରଦ୍ୱାଜଙ୍କ ଆକ୍ସନ୍-ଥ୍ରିଲର ଫିଲ୍ମରେ ଆସିବେ ।ଏଥିରେ ତାଙ୍କ ସହ ଶାହିଦ କପୁର ଓ ତୃପ୍ତି ଡିମରୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହ ତମନ୍ନାଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଅଛି । ‘ନୋ ଏଣ୍ଟ୍ରି-୨’ରେ ତାଙ୍କୁ କାଷ୍ଟ୍ କରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ କୌଣସି ଔପଚାରିକ ସୂଚନା ମିଳିନାହିଁ ।