ମାଲକାନଗିରି/ଖଇରପୁଟ, ୧୦/୯ (ଆପ୍ର ) : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ପଞ୍ଚାୟତ ବଣ୍ଡାଘାଟି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ବୁଧବାର ଗସ୍ତ କରିଛନ୍ତି। ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୋବିନ୍ଦପାଲି ଠାରେ ପହଁଚିବା ପରେ ତାଙ୍କୁ ଜିଲ୍ଲାପାଳ ସୋମେଶ ଉପାଧ୍ୟୟ , ଏସପି ବିନୋଦ ପାଟିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ଡିଏଫଓ ସାଇ କିରନ ସ୍ୱାଗତ କରିଥିଲେ। ପରେ ଖଇରପୁଟ ବ୍ଲକସ୍ଥିତ ମୁଦୁଲିପଡା ବଣ୍ଡାଘାଟି ରାଜ୍ୟପାଳ ଗସ୍ତ କରିଥିଲେ ।
ରାଜ୍ୟପାଳ ବଣ୍ଡାଘାଟିରେ ପହଁଚିବା ପରେ ବଣ୍ଡା ପୁରୁଷ ଓ ମହିଳାମାନେ ରାଜ୍ୟପାଳ ଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ। ପରେ ପବିତ୍ର ସୀତାକୁଣ୍ଡ ଓ ଶ୍ରୀରାମମନ୍ଦିର ନିକଟ କୁ ନେଇଥିଲେ । ରାଜ୍ୟପାଳ ପବିତ୍ର ସୀତାକୁଣ୍ଡ ପରିଦର୍ଶନ କରି ଏହାର ଉନ୍ନତି କିପରି କରା ଯିବ ସେଥିପ୍ରତି ଗୁରତ୍ୱ ଦେଇଥିଲେ। ବଣ୍ଡା ଉନ୍ନୟନ ସଂସ୍ଥା ପରିଦର୍ଶନ କରି ଆଦିମ ବଣ୍ଡା ଜନଜାତି ଙ୍କ ପାଇଁ ସଂସ୍ଥା ଦ୍ୱାରା କି ବିକାଶ ହୋଇଛି ପଚାରି ବୁଝିଥିଲେ ।
ବଣ୍ଡା ଦକ୍ଷତା ବିକାଶ, ଟେଲରିଙ୍ଗ ୟୁନିଟ, ମଲ୍ଟି ପ୍ରୋସେସିଙ୍ଗ ୟୁନିଟ, ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବସ୍ତ୍ର, ଅଳଂକାର ନିର୍ମାଣ କାରୁକାର୍ଯ୍ୟ ଦେଖିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ଆଦିମ ବଣ୍ଡା ଜନଜାତି ଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ। ସେହିପରି ବିଡିଏ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ ଜନମନ୍, ଜଙ୍ଗଲ ଜମି ପଟ୍ଟା, ୮୦ ବର୍ଷରୁ ଉର୍ଦ୍ଧ୍ବ ପେନସନ ହିତାଧୀକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ଯୁବ ସ୍ଵେଚ୍ଛାସେବୀ ଓ ଲକ୍ଷପତି ଦିଦି ହିତାଧିକାରୀଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ। ସେହିପରି ୧୫ ଜଣ ଆଦିମ ବଣ୍ଡା ଓ ୧୧ ଜଣ ଡିଡିୟୀ ସମ୍ପ୍ରଦାୟର ହିତାଧୀକାରୀଙ୍କୁ ରାଜ୍ୟପାଳ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ସାମାଜିକ ସୁରକ୍ଷା ଅଧୀନରେ ଜଣଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ୨୦ ହଜାର ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ମଧୁବାବୁ ବିଧବା ଭତ୍ତା ଯୋଜନାରେ ହଜାରେ ଟଙ୍କା ର ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯାଇଛି। କୃଷି ବ୍ୟତୀତ ଗୋପାଳନ, ଛେଳି, କୁକୁଡ଼ା ଚାଷ ମାଧ୍ୟମରେ ମଧ୍ଯ ବଣ୍ଡା ଜନଜାତି ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି।
ସରକାରୀ ଏସଏସଡି ହାଇସ୍କୁଲ ପଡିଆ ଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ବଣ୍ଡା ଘାଟି ର ବିକାଶ ପ୍ରତି ଗୁରୁତ୍ୱ ଦେଵା ସହ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପ୍ରତି ଧ୍ୟାନ ଦେଵା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଜଙ୍ଗଲ ଜମି ପଟ୍ଟା ପାଇଛନ୍ତି କି ନାହିଁ ଗ୍ରାମ ବାସୀଙ୍କୁ ପଚାରି ଥିଲେ। ବଣ୍ଡା ଘାଟିରେ ଥିବା କନ୍ୟାଶ୍ରମ ଓ ମଙ୍ଗଳ ବିଭାଗର ହାଇ ସ୍କୁଲ ପରିଦର୍ଶନ କରି ଶିକ୍ଷା ଦାନ କିପରି ହଉଛି,ବିଦ୍ୟାଳୟ ର ବ୍ୟବସ୍ଥା ର ସୁବିଧା ଅସୁବିଧା ସମ୍ପର୍କ ରେ ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ। ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ରେ ଭାଗ ନେଇଥିଲେ।