ମାଲକାନଗିରି, ୫/୯ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଏବଂ ଦନ୍ତେୱାଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଆଜି ସକାଳଠାରୁ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏନକାଉଣ୍ଟରରେ ଟଳି ପଡ଼ିଛନ୍ତି ୬ମାଓବାଦୀ। ଏହି ଗୁଳି ବିନିମୟ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଲଗାତାର ଜାରି ରହିଛି । ଯେଉଁଥିରେ ଏ ପର୍ଯ୍ୟନ୍ତ ୬ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଅବୁଝମାଡ ଜଙ୍ଗଲରେ ଲାଲ ବାହିନୀଙ୍କ ଏକ ବଡ଼ ଦଳ ଏକତ୍ରିତ ହୋଇଛି ଏବଂ ଏକ ବଡ଼ ବୈଠକ ପାଇଁ ପ୍ରସ୍ତୁତି ଚଳାଇଛି । ଏହାପରେ ଦନ୍ତେୱାଡ଼ାର ନାରାୟଣପୁରରୁ ଡିଆରଜି ଯବାନଙ୍କୁ ଅପରେସନ କରିବାକୁ ପଠାଯାଇଥିଲା। ଯବାନମାନେ ସକାଳ ପ୍ରାୟ ୯ଟାରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହାପରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ବରୁ ରହି ରହି ନିରନ୍ତର ଗୁଳିଚାଳନା ହେଉଥିଲା। ଏହି ଏନକାଉଣ୍ଟରରେ ଯବାନମାନେ ଏ ପର୍ଯ୍ୟନ୍ତ ୬ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ନିହତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ଆଜି ରାୟପୁରର ଏକ ପଞ୍ଚ ତାରକା ହୋଟେଲରେ ନକ୍ସଲବାଦ ଶେଷ କରିବା ପାଇଁ ଏକ ନୂତନ ରଣନୀତି ମଧ୍ୟ ପ୍ରସ୍ତୁତ କରିବା ପାଇଁ ବୈଠକ ଚାଲିଥିବାବେଳେ ଏପଟେ ବସ୍ତରରେ ନକ୍ସଲପନ୍ଥିଙ୍କୁ ସମୂଳେ ଶେଷ କରିବା ପାଇଁ ମିଶନ ଜାରି ରହିଛି । ସଶସ୍ତ୍ର ଯବାନମାନେ ନକ୍ସଲଙ୍କୁ ମୁହାଁମୁହିଁ ଲଢେଇରେ କଡ଼ା ଟକ୍କର ଦେଉଛନ୍ତି ।