ପାତ୍ରପୁର,୨/୧୦ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାତ୍ରପୁର ବ୍ଳକରେ ସ୍ଥିତି ବେହାଲ ହୋଇଛି । ଦୁର୍ଗମ ମହାଲିମ୍ବ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବର୍ଷା ଜଳ ପ୍ରବାହିତ ହୋଇ କାନ୍ଥ ଭୁଶୁଡ଼ି ପଡିଛି । ସେହିପରି ତିନୋଟି ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହେବା ଫଳରେ ଯାତାୟତ ସମସ୍ୟା ସୃଷ୍ଟି ହୋଇଛି । ଗୁରୁବାର ସକାଳ ଠାରୁ ଅନବରତ ବର୍ଷା ହେବା ଫଳରେ ବାଘଲଟିଠାରେ ୧୫୬ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ବର୍ଷା ଫଳରେ ବାଘଲଟି ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୯୭.୫୫ରେ ସନ୍ଧ୍ୟା ସୁଦ୍ଧା ପହଞ୍ଚିଛି ।
ବର୍ଷା ହେବା ଫଳରେ ମହେନ୍ଦ୍ର ତନୟା ନଦୀରେ ପାଣି ଆସିବା ଫଳରେ ବୁରାତାଲଠାରୁ ଜାମଗଣ୍ଡ ରାସ୍ତାରେ ନିର୍ମିତ କାଠ ପୋଲ ଉପର ଦେଇ ପାଣି ପ୍ରଭାବିତ ହେବା ଫଳରେ ଯାତାୟତ ବନ୍ଦ ରହିଛି । ସେହିପରି ଆଙ୍କୁଲି ପଂଚାୟତ ଠୁରୀଆମ୍ବ ନାଳରେ ପାଣି ଆସିବା ଫଳରେ କମ୍ପୁଟ ବାଡ଼ଠାରୁ କୁମ୍ଭାର ଦଲି ଯିବା ରାସ୍ତା ପୋଲ ଉପର ଦେଇ ପାଣି ପ୍ରଭାବିତ ହେବାରୁ କମ୍ପୁଟ ଗ୍ରାମକୁ ଯାତାୟତ ବନ୍ଦ ରହିଥିଲା।
ବର୍ଷା ଯୋଗୁଁ ଦିଗପହଣ୍ଡି ବ୍ଲକର ଭ୍ରମରପୁରଠାରୁ ଗଜପତି ଜିଲ୍ଲା ମହେନ୍ଦ୍ର ଗଡ଼ ଯିବା ରାସ୍ତାରେ ବାତରଡ଼ା ନାଳରେ ନିର୍ମାଣ ଚାଇଥିବା ପୋଲ ଉପର ପାର୍ଶ୍ବରେ ନିର୍ମିତ କର୍ଲଭଟ ଉପର ଦେଇ ପାଣି ପ୍ରଭାବିତ ହେବାରୁ ପାତ୍ରପୁର ବ୍ଲକର ଖାରିଆଗୁଡ଼ା, ତୁରୁବୁଡ଼ି, ଗଜପତି ଜିଲ୍ଲା ମହେନ୍ଦ୍ର ଗଡ ସହିତ ଭ୍ରମର ପୁର ଦିଗପହଣ୍ଡି ଯୋଗାଯୋଗ ବିଛିନ୍ନ ହୋଇ ପଡିଛି । ସେହିପରି ପୋଇଚାନ୍ଦିଆ ନଦୀ ପାଣି ପାତ୍ରପୁର ବ୍ଲକ ମନ୍ଦରଡ଼ା ପଂଚାୟତ ତିନିଘରିଆ ଗ୍ରାମ ଦଳିତ ସାହି ପାର୍ଶ୍ଵ ଦେଇ ପ୍ରବାହିତ ହେଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଅଧିକାରୀଙ୍କୁ ହେଡ଼କ୍ୱାର୍ଟରରେ ରହିବା ଲାଗି ଚିଠି ହେବା ପରେ ବିଭିନ୍ନ ବିଭାଗ ତରଫରୁ କର୍ମଚାରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଶେଷ କରି ପାତ୍ରପୁର ବ୍ଲକର ଆଙ୍କୁଲି,ତୁମ୍ବା ଓ ବୁରାତାଳ ପଂଚାୟତ ଉପରେ ପ୍ରଶାସନ ବିଶେଷ ନଜର ଦେଇଛି । ବାଘଲଟି ଜଳଭଣ୍ଡାର ଆରପାରିରେ ଥିବା ଆଦିବାସୀଗାଁ ଗୁଡିକ ଉପରେ ତୀକ୍ଷଣ ନଜର ରଖାଯାଇଛି ।