ସୁନ୍ଦରଗଡ଼,୧୯/୯ : ନିଷିଦ୍ଧାଞ୍ଚଳରୁ କୋଟି କୋଟି ଟଙ୍କାର କୋଇଲା ଚୋରି କରି ନେଲେ ମାଫିଆ । ଟେର୍ ପାଇଲାନି ଖଣି ବିଭାଗ। ଗଣମାଧ୍ୟମରୁ ଖୋଳତାଡ଼ ପରେ ସରକାର ଚେତିଲେ । ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ । ଇତିମଧ୍ୟରେ ଏହାକୁ ୪ ମାସ ବିତିଲାଣି । ହେଲେ ଖଣିଜ ଚୋରିର ଗୁମର ଖୋଲିଲାନି କି ମାଫିଆ ବନ୍ଧା ହେଲେନି । ସୁନ୍ଦରଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ଗୋପାଳପୁର କୋଇଲା ଚୋରି ପ୍ରସଙ୍ଗ ଏବେ ଥଣ୍ଡା ପଡ଼ିଗଲାଣି । ଯାହାକୁ ନେଇ ସାଧାରଣରେ ବିଭିନ୍ନ ଆଲୋଚନା ଜୋର୍ ଧରିଛି ।
ହେମଗିରି ବ୍ଲକର ଗୋପାଳପୁର ହେଉଛି ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ୍ ଖୋଲାମୁହଁ କୋଇଲା ଖଣି । ଗୋପାଳପୁର, ରତନସରା ଓ ଭୋଗ୍ରାକଛାର ରାଜସ୍ୱ ଗ୍ରାମ ଏରିଆରୁ ବର୍ଷ ବର୍ଷ ଧରି କୋଇଲା ଚୋରି ହେଉଥିଲା । କୋଇଲା ମାଫିଆଙ୍କ ମଧ୍ୟରେ ବିବାଦ ଓ ଗଣମାଧ୍ୟମ ଖୋଳତାଡ଼ରୁ ଏହା ଲୋକଲୋଚନକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ତନାଘନାରୁ ଏହାର ଲିଙ୍କ୍ ରାଜ୍ୟ ବାହାରକୁ ଲମ୍ବିଥିବା ସ୍ପଷ୍ଟ ହୋଇଥିଲା । ଗିରଫଦାରି ଭୟରେ ମାଫିଆମାନେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ । କୋଇଲା ଚୋରିରେ ତହସିଲ୍ ପ୍ରଶାସନର ସମ୍ପୃକ୍ତି ପଦାକୁ ଆସିଥିଲା । ଗୋପାଳପୁର ବନାଞ୍ଚଳ ଅଧିକାରୀ ହରିହର ପାତ୍ର ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ ତତ୍କାଳୀନ ହେମଗିରି ତହସିଲଦାର ଲାବଣ୍ୟେନ୍ଦୁ ମହାନ୍ତି ଏହାକୁ ଚାପି ଦେଇଥିଲେ । କୋଇଲା ଚୋରି ଧରାପଡ଼ିବା ପରେ ଖଣି ବିଭାଗର ୯ ଜଣିଆ ଏନ୍ଫୋର୍ସମେଣ୍ଟ ଟିମ୍ ତଦନ୍ତ କରିଥିଲା । ଡ୍ରୋନ୍ ସହାୟତାରେ ୨୪ଟି ଚୋରା ଖଣି ଠାବ କରାଯାଇଥିଲା । ଖଣିଗୁଡ଼ିକରୁ ୯ ହଜାର ୮୪୩ ମେଟ୍ରିକ ଟନ୍ କୋଇଲା ଚୋରି ହୋଇଥିବା ଆକଳନ କରାଯାଇଥିଲା । ବିଭିନ୍ନ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୧.୭୬ ଟନ୍ ଚୋରା କୋଇଲା ଜବତ କରାଯାଇଥିଲା । ଖଣି ବିଭାଗ ପକ୍ଷରୁ ଏ ନେଇ ହେମଗିରି ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା ।
କୋଇଲା ଚୋରିକୁ ନେଇ ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ ଏବଂ ପୂର୍ବତନ ବିଧାୟିକା କୁସୁମ ଟେଟେ ଗଭୀର ଉଦ୍ବେଗ ବ୍ୟକ୍ତ କରିଥିଲେ । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂହ ଆଉ ଏକ ପାଦ ଆଗକୁ ଯାଇ ସିବିଆଇ ତଦନ୍ତ ଦାବି କରିଥିଲେ । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । କୋଇଲା ଚୋରିରେ ସମ୍ପୃକ୍ତ କାହାରିକୁ ସରକାର ଛାଡ଼ିବେ ନାହିଁ, ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଭୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେମଗିର ଓ କୋଇଡା ତହସିଲ୍ ଅଞ୍ଚଳରେ ହୋଇଥିବା ୩୯ କୋଟି ଟଙ୍କାର ଖଣିଜ ଚୋରିର ଏସ୍ଆଇଟି ତଦନ୍ତ ନିର୍ଦ୍ଦଶେ ଦେଇଥିଲେ । ଏସ୍ଆଇଟି ଟିମ୍ ସୁନ୍ଦରଗଡ ଆସି ତଦନ୍ତ ଆରମ୍ଭ କରିଥିଲା । ଏବେ ଖଣିଜ ଚୋରି ପ୍ରସଙ୍ଗ ଓ ତଦନ୍ତ ପ୍ରକ୍ରିୟା ଏକରକମର ଶିଥିଳ ପଡ଼ିଯାଇଛି । ଏସ୍ଆଇଟି ଅଦ୍ୟାବଧି କାହାରିକୁ ଗିରଫ କରିନାହିଁ । ସ୍ଥାନୀୟ ବନ ବିଭାଗ, ରାଜସ୍ୱ ବିଭାଗ, ଜିଲ୍ଲା ପ୍ରଶାସନ, ପୁଲିସ, ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ଏ ପ୍ରସଙ୍ଗରେ ନିରବ ରହୁଛନ୍ତି । ତଦନ୍ତ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ବିଶେଷ ସୂଚନା ନ ଥିବା କହୁଛନ୍ତି । କୋଟି କୋଟି ଟଙ୍କା କୋଇଲା ଚୋରିରେ ସମ୍ପୃକ୍ତ ମାଫିଆଙ୍କୁ ଗିରଫ କରିବା ଲାଗି ତଦନ୍ତ ଭାର ସିବିଆଇକୁ ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।