ପୁରୀ,୭/୧୧ :  ଶ୍ରୀମନ୍ଦିର ଭିତରୁ ପୁଣି ହିଡେନ କ୍ୟାମେରା ଜବତ । ହିଡେନ କ୍ୟାମେରା ନେଇଥିବା ଅହମଦାବାଦର ଜଣେ ଶ୍ରଦ୍ଧାଳୁଙ୍କୁ ସିଂହଦ୍ଵାର ଥାନା ପୁଲିସ ପଚରାଉଚରା କରିବା ପରେ ହିଡେନ କ୍ୟାମେରାକୁ ଜବତ କରି ଥାନାରୁ ବେଲ୍ ଦେଇଛି । ତଦନ୍ତରେ ସହଯୋଗ କରିବା ପାଇଁ ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କୁ ସିଂହଦ୍ଵାର ଥାନା ପୁଲିସ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ହିଡେନ କ୍ୟାମେରା ନେଇ ଯାଉଥିବା ବେଳେ ଜଗମୋହନ ନିକଟରୁ ସେବାୟତ ଓ ଜେଟିପି ତାଙ୍କୁ ଧରିଛନ୍ତି। ଶ୍ରଦ୍ଧାଳୁ ଜଣକ ପିନ୍ଧି ଥିବା ଚଷମାରେ ହିଡେନ କ୍ୟାମେରା ଥିବା ନେଇ ସନ୍ଦେହ ହୋଇଥିଲା। ପରେ ଉକ୍ତ ଶ୍ରଦ୍ଧାଳୁଙ୍କୁ ସିଂହଦ୍ଵାର ଥାନାକୁ ହସ୍ତାନ୍ତର କରିଥିଲେ ଜେଟିପି ଏବଂ ସେବାୟତ। ତେବେ ହିଡେନ କ୍ୟାମେରା ନେଇଥିବା ଶ୍ରଦ୍ଧାଳୁ ଜଣକ ହେଉଛନ୍ତି ଗୁଜରାଟ ଅହମଦାବାଦର ଭରତ ପାଣ୍ଡିଆ। ସିଂହଦ୍ଵାର ଥାନା ପୁଲିସ ଭରତ ପାଣ୍ଡିଆଙ୍କଠାରୁ ହିଡେନ କ୍ୟାମେରା ଲାଗିଥିବା ଚଷମାକୁ ଜବତ କରିବା ସହ ତାଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା। ସିଂହଦ୍ଵାର ଥାନା ପୁଲିସ ପକ୍ଷରୁ ପଚରାଉଚରା କରାଯିବା ପରେ ଆଗାମୀ ଦିନରେ ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ତାଙ୍କୁ ଥାନାରୁ ବେଲ୍ ଦିଆଯାଇ ଛାଡ଼ି ଦିଆଯାଇଛି । ଶ୍ରୀମନ୍ଦିର ଭିତରୁ କ୍ୟାମେରା ଜବତ ହେଲେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଇନ ନାହିଁ । କେବଳ ଜରିମାନା ଦେବାର ନିୟମ ରହିଛି । ଏଣୁ ରାଜ୍ୟ ସରକାର ଶ୍ରୀମନ୍ଦିର ଆଇନରେ ତୁରନ୍ତ ପରିବର୍ତ୍ତନ କରି ଏଭଳି ବେଆଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ନିୟମ ଆଣିବାକୁ ସାଧାରଣରେ ଦାବି ହୋଇଛି ।