କଟକ,୨୫।୯ : ସୁରକ୍ଷିତ ପାର୍ବଣ ଉପରେ ପୁଣି ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ। କଟକ ସହରରେ ଦଶହରା ଲାଗି ଯେଉଁ କେତୋଟି ତୋରଣ ନିର୍ମିତ ହୋଇଛି, ତାକୁ ସଠିକ ଭାବେ ତନଖି କରି ଫାଇନାଲ ଏନଓସି ପ୍ରଦାନ କରିବାକୁ ଗୁରୁବାର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଯେହେତୁ ପୂଜା ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି, ତେଣୁ ତାକୁ ଆଖିରେ ରଖି ଆଗୁଆ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।
୧୧୭ ଟି ପୂଜା ମଣ୍ଡପରେ ନିରୀକ୍ଷଣ କାମ ସରିଛି ବୋଲି ଗୁରୁବାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ପୂର୍ତ୍ତ ବିଭାଗ ଅଧିକାରୀ। ତଥାପି ଇଲେକଟ୍ରିକ ଗେଟ ଏବଂ ରୋଡ଼କ୍ରସ ଗେଟ ଗୁଡିକର ପୁନଃ ନିରୀକ୍ଷଣ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ତେବେ ଭଷାଣି ରୁଟ ବଦଳାଇବା ଲାଗି ଗୁରୁବାର ଆଡ଼ଭୋକେଟ କମିଟି ପ୍ରସ୍ତାବ ଦେଇଛି, କିନ୍ତୁ ମେଢ଼ ରୁଟରେ ଆବଶ୍ୟକ ମୁତାବକ ଆମ୍ବୁଲାନ୍ସ ଏବଂ ଦମକଳ ଗାଡି ରଖାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି କଟକ ଡିସିପି। ସେହିପରି ଭାଗିରୁଜି ଯାଇଥିବା ରାସ୍ତା ଘାଟର ମରାମତି କାମ କେତେ ଦୂର ଆଗେଇଛି ବୋଲି କୋର୍ଟ ଜି ପ୍ରଶ୍ନ କରିଛନ୍ତି। ସିଏମସି ପକ୍ଷରୁ ୯୦ ପ୍ରତିଶତ କାମ ସରିଛି ଏବଂ ପୂର୍ତ୍ତ ବିଭାଗ ଆଗାମୀ ୨ ଦିନ ଭିତରେ ସମସ୍ତ ମରାମତି କାମ ସାରିବ ବୋଲି ଉଭୟ ବିଭାଗ ପକ୍ଷରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ସୂଚନା ଦିଆଯାଇଛି। ତେବେ ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଛି, ତା ଉପରେ ଗୁରୁବାର ହୋଇପାରିଲା ନାହିଁ ଶୁଣାଣି । ଉପର ପଡିଆରେ ଏଥର ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଯାହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି ।