କଟକ, ୨୬/୦୯: ଲଗାତାର ବର୍ଷା କାରଣରୁ ବର୍ତମାନ ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଗେଟ ଖୋଲା ହୋଇଛି। ଏଥିଯୋଗୁଁ ଶୁକ୍ରବାର ମୁଣ୍ଡଳୀରେ ଲକ୍ଷ ୭୮ ହଜାର କିଉସେକ ଜଳ ପ୍ରବାହିତ ହେଉଛି। ଯଦି ମୁଣ୍ଡରିର ଉପର ମୁଣ୍ଡରେ ବର୍ଷା ହୁଏ ତେବେ ଆଗକୁ ଅଧିକ ପାଣି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

କିନ୍ତୁ ବର୍ତମାନ କୌଣସି ସ୍ଥାନରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉନାହିଁ। ତେଣୁ ଭୟବିତ ହେବାର କୌଣସି କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ମୁଣ୍ଡଳୀରେ ଜଳସ୍ତର ବଢିବା କାରଣରୁ କିଛି ତଳିଆ ଅଞ୍ଚଳ ବା ଶାଖା ନଦୀ ଯଥା କାଠଯୋଡି, ବିରୂପା, କୁଶଭଦ୍ର, କୁଆଖାଇ, ଦୟା, ଭାର୍ଗବୀ, କଂଦଳ ଆଦି ଶାଖା ନଦୀରେ ଜଳ ସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାଶହ କ୍ଷେତ୍ର ପରିଦର୍ଶନକାରି ଟିମକୁ ମଧ୍ୟ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳ ଗସ୍ତ କରିବାକୁ ନିର୍ଦେଶ ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୋରାପୁଟ, ମାଲକାନଗିରି,କଳାହାଣ୍ଡି ପାଇଁ ରେଡ ୱାର୍ନିଙ୍ଗ ଜାରି କରାଯାଇଛି। ସେହିଭଳି ବଲାଙ୍ଗୀରି, ନୂଆପଡା, ନବରଙ୍ଗପୁର,ରାୟଗଡା, କନ୍ଦମାଳ, ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ନିଙ୍ଗ ରହିଛି। ତେଣୁ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।