ନୂଆଦିଲ୍ଲୀ, ୬/୧୧ : ନ୍ୟୁୟର୍କ ରାଜନୀତିରେ ଦିଲ୍ଲୀ ମଡେଲ୍। କ୍ରେଜ୍ ଦେଖାଇଲା କେଜ୍ରିୱାଲ୍‌ଙ୍କ ଷ୍ଟ୍ରାଟେଜି। ନ୍ୟୁୟର୍କ ସିଟିରେ ଭାରତୀୟ ବଂଶୋଦ୍ଭଙ୍କ ଐତିହାସିକ ବିଜୟ। ଜୋରାନ ମମଦାନିଙ୍କୁ ମେୟର ବାଛିଲା ବିଶ୍ଵର ସବୁଠୁ ଧନୀ ସହର। ଭୋଟରଙ୍କୁ ଆକୃଷ୍ଟ କଲା ମାଗଣା ସେବା। ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଆପ୍ ନେତା ଅରବିନ୍ଦ କେଜ୍ରିୱାଲ୍ ମହିଳାଙ୍କ ପାଇଁ ମାଗଣା ମେଟ୍ରୋ ଓ ବସ୍ ଯାତ୍ରା ଘୋଷଣା କରିଥିଲେ। ଠିକ୍ ସମାନ ଢଙ୍ଗରେ ମମଦାନି ମଧ୍ୟ ନ୍ୟୁୟର୍କରେ ବସ୍ ସେବା ମାଗଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମମଦାନିଙ୍କ ପ୍ରମୁଖ ପ୍ରତିଶୃତି ଥିଲା ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟେସନ୍ ଅଥରିଟି (MTA) ବସ୍ ନେଟୱାର୍କରେ ଭଡ଼ା ଉଚ୍ଛେଦ କରିବା। 

ମାଗଣା ସଂସ୍କୃତିର ସମର୍ଥକ କେଜ୍ରିୱାଲ ଖାଲି ପରିବହନ ସେବା ନୁହେଁ, ବିଜୁଳି, ପାଣି ଉପରେ ମଧ୍ୟ ଶିଳ୍କ ଛାଡ଼ କରିଥିଲେ। ଯାହାକି ଦିଲ୍ଲୀର ଗରିବ ଶ୍ରେଣୀର ଭୋଟରଙ୍କୁ ଆକୃଷ୍ଟ କରିଥିଲା। ସେହିପରି ମମଦାନି ମଧ୍ୟ ମାଗଣା ବସ୍ ଯାତ୍ରା ବ୍ୟତୀତ ଆହୁରି ବଡ଼ ବଡ଼ ଘୋଷଣା କରିଛନ୍ତି। ସେ ୬ ସପ୍ତାହରୁ ୫ ବର୍ଷ ବୟସର ଶିଶୁଙ୍କ ପାଇଁ ଏହା ସାର୍ବଜନୀନ ଶିଶୁ ଯତ୍ନ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ପାଇଁ, ପ୍ରତି ସହରରେ ପାଞ୍ଚଟି "ଜନତା ବଜାର" ଖୋଲିବ। ଏଠାରେ ଲୋକମାନେ ଚାଉଳ, କ୍ଷୀର ଏବଂ ଅନ୍ୟାନ୍ୟ ଉତ୍ପାଦ ପରି ଅତ୍ୟାବଶ୍ୟକୀୟ ଜିନିଷ ପାଇକାରୀ ମୂଲ୍ୟରେ ପାଇବେ। ମମଦାନିଙ୍କ ଯୋଜନା ଭାରତୀୟ ନିର୍ବାଚନରେ ​​ଦିଆଯାଇଥିବା ପ୍ରଚାର ପ୍ରତିଶ୍ରୁତି ସହିତ କିଛିଟା ସମାନ। ନ୍ୟୁୟର୍କ ସ୍ଥିତ ଏକ ସଂସ୍ଥା, ରାଇଡର୍ସ ଆଲାଏନ୍ସ ଅନୁଯାୟୀ, ମମଦାନୀ ଯୋଜନା ପାଇଁ ପ୍ରତିବର୍ଷ ୧.୨ ଅରବ ଡଲାର ଖର୍ଚ୍ଚ ହେବ ଏବଂ ଯାତ୍ରୀ ସଂଖ୍ୟା ୨୦-୩୦% ବୃଦ୍ଧି ହେବ। COVID-19 ସମୟରେ ୨୦୨୦-୨୨ ଭିତରେ MTA ଦ୍ୱାରା  କରାଯାଇଥିବା ଭଡ଼ା-ମୁକ୍ତ ବସ୍ ପରୀକ୍ଷଣ ଉପରେ ଆଧାରିତ।

ମମଦାନୀଙ୍କ ମାଗଣା ବସ୍ ଯୋଜନା ପାଇଁ ସେ ୧୦ ଲକ୍ଷ ଡଲାରରୁ ଅଧିକ ଆୟ ଉପରେ ୨% ଟିକସ ଏବଂ କର୍ପୋରେଟ୍ ସବସିଡି ହ୍ରାସ କରିବାକୁ ଯୋଜନା କରିଛନ୍ତି। ତେବେ ମମଦାନୀଙ୍କ ଏହି ଘୋଷଣା କେଜ୍ରିୱାଲଙ୍କ ପିଙ୍କ୍ ଟିକେଟ ଭଳି ଲାଗୁଛି। ଯାହାକି ମହଙ୍ଗା ମାଡ଼ରେ ପେଶି ହେଉଥିବା ନ୍ୟୁୟର୍କବାସୀଙ୍କୁ ଆକୃଷ୍ଟ କରିଛି। ୨୦୧୯ରେ କେଜ୍ରିୱାଲଙ୍କ ବିଜୟ ପଛରେ ଏହି ମାଗଣା ପରିବହନ ସେବା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଯାହା ଏବେ ମମଦାନୀଙ୍କ କ୍ଷେତ୍ରରେ ସତ ସାବ୍ୟସ୍ତ ହୋଇଛି। 

ମାଗଣା ପରିବହନ ସେବାର ଆରମ୍ଭ ପ୍ରଥମେ ୟୁରୋପରୁ ହୋଇଥିଲା। ଲକଜମବର୍ଗରେ ବସ୍, ଟ୍ରାମ୍, ଏବଂ ଟ୍ରେନ୍ ଗୁଡ଼ିକରେ ଯାତ୍ରୀମାନେ ମାଗଣାରେ ଯାତାୟାତ କରୁଛନ୍ତି। ମାଲଟାରେ ମଧ୍ୟ ସ୍ଥାନୀୟ ବସ୍‌ଗୁଡ଼ିକ ସମ୍ପୂର୍ଣ୍ଣ ମାଗଣା। ଫ୍ରାନ୍ସର ଡେନକର୍କ ସହରର ୨୦୧୮ରେ ନେଟୱାର୍କରୁ ଭଡ଼ା ଶୁଳ୍କ ହଟାଇ ଦିଆଯାଇଥିଲା। ଏଷ୍ଟୋନିଆର ରାଜଧାନୀ ଟାଲିନରେ ୨୦୧୩ରେ ମାଗଣା ଯାତ୍ରୀ ସେବା ଘୋଷଣା ହୋଇଥିଲା। ସେହିପରି ପୂର୍ବ ୟୁରୋପର ସର୍ବିଆର ରାଜଧାନୀ ବେଲଗ୍ରେଡ୍‌ରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୦୨୪ରେ ଭଡ଼ା ମୁକ୍ତ ବସ୍ ସେବା ଆରମ୍ଭ କରାଯାଇଥିଲା। ପ୍ରଦୂଷଣ ହ୍ରାସ ଓ ସାର୍ବଜନିକ ପରିବହନ ଉପଯୋଗକୁ ପ୍ରୋତ୍ସାହନ ଦେବାକୁ ସରକାର ଏହି ଘୋଷଣା କରିଥିଲେ। ଯାହାକୁ କେଜ୍ରିୱାଲ ଏକ ରାଜନୈତିକ ଅସ୍ତ୍ର ରୂପରେ ବ୍ୟବହାର କରିଥିଲେ।