କଟକ,୧୯/୧୦: ଅନେକ ଯୋଜନା କାର୍ଯ୍ୟକାରୀ ହେବା ସତ୍ତେ୍ୱ ଆଜି ବି ସମାଜରେ ମାନବ ଚାଲାଣ ଏବଂ ଗୋତି ଶ୍ରମିକ ପ୍ରଥା ଚାଲୁ ରହିଛି । ଏଥିପାଇଁ ଗରିବୀ, ସାମାଜିକ କାରଣ ଦାୟୀ । ଆଜି ବି ଏହି ପ୍ରଥା ବା ବ୍ୟବସ୍ଥା ଚାଲୁ ରହିବା ଅର୍ଥ ଏହାକୁ ରୋକିବା ପାଇଁ କେବଳ ଆଇନ ଯଥେଷ୍ଟ ନୁହେଁ । ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ‘ମାନବ ଚାଲାଣ ଏବଂ ଗୋତିପ୍ରଥା’ ସମସ୍ୟା ମୁକାବିଲା ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନ ଏହି ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ଦାୟିତ୍ୱ ଓ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ସେ କହିଛନ୍ତି, ଏହି ସମସ୍ୟାର ସମାଧାନ କରିବାକୁ ହେଲେ ଏହାର ମୂଳ କାରଣ ଖୋଜିବାକୁ ପଡ଼ିବ । ଏ କ୍ଷେତ୍ରରେ ଯେଉଁମାନେ ସମ୍ବେଦନଶୀଳ ସେମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ । ଏଥିପାଇଁ ସାମାଜିକ ଅଡିଟ୍ ମଧ୍ୟ କରାଯିବା ଦରକାର । ଦାଦନ ଶ୍ରମିକ ପାଇଁ ରାଜ୍ୟ ବାହାରକୁ ଯାଉଥିବା ସମ୍ବେଦନଶୀଳ ପରିବାରକୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯିବା ଦରକାର । ରାଜ୍ୟ ଭିତରେ ଏଭଳି ଲୋକଙ୍କ ପାଇଁ କାମ ଯୋଗାଇ ଦେବା ଦରକାର । ସବୁ ଅଞ୍ଚଳ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଦରକାର । ଲୋକଙ୍କୁ ଶିକ୍ଷା, ଦୀକ୍ଷା ଦେବା ଆବଶ୍ୟକ ବୋଲି ମୁଖ୍ୟ ବିଚାରପତି ମତବ୍ୟକ୍ତ କରିଥିଲେ । ନୀତି ନିର୍ଦ୍ଧାରକ, ସମାଜର ଦାୟିତ୍ୱସଂପନ୍ନ ନାଗରିକମାନେ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ହାଇକୋର୍ଟର ବିଚାରପତି ତଥା ଜୁଡିସିଆଲ୍ ଏକାଡେମୀ ଏବଂ ତାଲିମ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ କେ.ଆର୍. ମହାପାତ୍ର ସ୍ୱାଗତ ଭାଷଣ ଦେଇ ଏହି ସାମାଜିକ ବ୍ୟାଧି ଉପରେ ବକ୍ତବ୍ୟ ରଖିଥିଲେ । ଇଣ୍ଟରନାସନାଲ ଜଷ୍ଟିସ୍ ମିସନ, ଇଣ୍ଡିଆର ଭାଇସ୍ ପ୍ରେସିଡେଣ୍ଟ ଡାନିଏଲ୍ ଅଜୟ ଭର୍ଗିଜ୍ ଗୋତି ଶ୍ରମିକଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ଦେଶରେ ୧୮ ନିୟୁତ ଗୋତି ଶ୍ରମିକ ରହିଛନ୍ତି । ୨୦୩୦ ସୁଦ୍ଧା ଏହି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ହେବା ଲାଗି ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଓଡ଼ିଶା ସରକାର ଏ ଦିଗରେ ନେଉଥିବା ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ ସେ ସୂଚନା ଦେଇଥିଲେ । ଜୁଡିସିଆଲ ଏକାଡେମୀ ଏବଂ ତାଲିମ୍ କମିଟି ସଦସ୍ୟ ତଥା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ, ହାଇକୋର୍ଟର ବହୁ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ ।