ଖଲ୍ଲିକୋଟ,୪/୧୦ : ପାଣି ପାଇଁ ରାସ୍ତାରୋକ । ୧୬ନମ୍ବର ଜାତୀୟ ରାଜପଥକୁ ଘଣ୍ଟାଏ କାଳ ଅବରୋଧ କରି ରଖିଲେ ଶହ ଶହ ମହିଳା । ପରେ ପୁଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରି ରାସ୍ତାରୁ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।
ସୂଚନା ଅନୁସାରେ, ଦୀର୍ଘ ଏକ ମାସ ହେବ କେଶପୁର ଓଡ଼ିଆରପି କଲୋନୀରେ ଥିବା ପ୍ରାୟ ୪ଶହରୁ ଊର୍ଦ୍ଧ୍ବ ପରିବାର ସ୍ୱଚ୍ଛ ପାଣି ଟିକେ ପାଇବା ପାଇଁ ଡହଳ ବିକଳ ହେଉଥିବାବେଳେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରି ନାହିଁ । ଫଳରେ ଆଜି ଦିନ ୨ଟା ସମୟରେ ଓଡ଼ିଆରପି କଲୋନୀର ଶତାଧିକ ମହିଳା ରାଜ ରାସ୍ତା ଉପରେ ଗରା ମାଠିଆ ବାଲଟି ରଖି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଦୀର୍ଘ ଏକ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିବାରୁ ଗାଡ଼ି ମୋଟରର ଲମ୍ବା ଲାଇନ ଲାଗି ଯାଇଥିଲା। ଖବରପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । କେଶପୁର ଓଡ଼ିଆରପି କଲୋନୀରେ ଦୀର୍ଘ ଏକ ମାସ ହେବ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି । କଲୋନୀରେ ଗୋଟିଏ ନଳକୂପ ଥିବାବେଳେ ସେଥିରୁ ଗୋଳିଆ ପାଣି ବାହାରୁଛି । ଅନ୍ୟ କିଛି ଉପାୟ ନ ପାଇ ନଳକୂପର ଗୋଳିଆ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା କହିଛନ୍ତି କଲୋନୀ ବାସିନ୍ଦା।
ଏହି ଗୋଳିଆ ପାଣି ବ୍ୟବହାର କରିବା ଦ୍ୱାରା ପିଲା ଛୁଆମାନେ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ମହିଳାମାନେ। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି କଲୋନୀ ର ସେକ୍ରେଟାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା କହିଛନ୍ତି। ଯଦି ତୁରନ୍ତ ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ପୁଣି ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି ଓଡ଼ିଆରପି କଲୋନୀ ବାସିନ୍ଦା ।