କାମାକ୍ଷାନଗର, ୦୬/୧୦: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଟଗାଁ ପଞ୍ଚାୟତ ଝାଞ୍ଜିରିବେରେଣା ଗାଁରେ ଅଭାବନୀୟ ଘଟଣା। ବିଷାକ୍ତ ଖାଦ୍ୟ ଖାଇ ସ୍ଵାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର। ବନ୍ଦ କୋଠରୀ ଭିତରୁ ୩ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ। କାମାକ୍ଷାନଗର ମେଡିକାଲରେ ଜୀବନ ମରଣ ସହିତ ଲଢେଇ କରୁଛନ୍ତି ମାଆ ଓ ଝିଅ।
ସୂଚନାନୁଯାୟୀ, ଝାଞ୍ଜିରିବେରେଣା ଗାଁର ଲକ୍ଷ୍ମଣ ମୁର୍ମୁ, ସ୍ତ୍ରୀ ଫୁଲ ମୁର୍ମୁ ଏବଂ ଝିଅ ସୁଲୋଚନା ମୁର୍ମୁ ରାତିରେ ଖାଇ ପିଇ ଶୋଇଥିଲେ। ସକାଳୁ ଘର କବାଟ ବନ୍ଦ ଥିବା ନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏହାପରେ ଗ୍ରାମବାସୀ କବାଟ ଭାଙ୍ଗି ବନ୍ଦ ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଲକ୍ଷ୍ମଣ ମୁର୍ମୁଙ୍କ ମୃତ ଘୋଷଣା କରିଥିଲେ। ସ୍ତ୍ରୀ ଫୁଲ ମୁର୍ମୁ ଏବଂ ଝିଅ ଅବସ୍ଥା ସଙ୍କଟାପନ୍ନ ରହିଛି। ବିଷାକ୍ତ ଖାଦ୍ୟ କାରଣରୁ ମୃତ୍ୟୁ ହୋଇଥିବା ନେଇ ଉପଖଣ୍ଡ ମେଡିକାଲର ମୁଖ୍ୟ ଡାକ୍ତର ଦିଗାମ୍ବର ସାହୁ ପ୍ରକାଶ କରିଛନ୍ତି।