ନୂଆଦିଲ୍ଲୀ,୦୬/୦୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଡ୍ ଘଡିକି ଘଡି ବଦଳୁଛି । ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ଭାରତକୁ ଧମକ ପରେ ଧମକ ଦେଉଥିଲେ । ଗତକାଲି (ଶୁକ୍ରବାର) ଚୀନ୍ ହାତରେ ଭାରତ-ରୁଷକୁ ହାରଇଛୁ ବୋଲି କହିବା ପରେ ଏବେ ପୁଣି ବୟାନ ବଦଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତ-ଆମେରିକା ସମ୍ପର୍କକୁ ନେଇ ପୁଣି ବଡ଼ ବୟାନ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱତନ୍ତ୍ର । ଚିନ୍ତା କରିବାର କିଛି ନାହିଁ, ମୁଁ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ୍ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଭାରତ ସହିତ ସମ୍ପର୍କ ପୁନଃନିର୍ମାଣ କରିବା ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ, ''ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ମୁଁ ସବୁବେଳେ ମୋଦିଙ୍କ ସହିତ ବନ୍ଧୁ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ, ସେ ମହାନ... । ଏହି ସମୟରେ ସେ ଯାହା କରୁଛନ୍ତି ତାହା ମୋତେ ପସନ୍ଦ ନୁହେଁ, ଅର୍ଥାତ ରୁଷଠୁ ତୈଳ କିଣିବା ମୋର ପସନ୍ଦ ନୁହେଁ । କିନ୍ତୁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ସ୍ୱତନ୍ତ୍ର ସମ୍ପର୍କ ଅଛି । ଚିନ୍ତା କରିବାର କିଛି ନାହିଁ। " ସେହିପରି ଭାରତ ଓ ଅନ୍ୟ ଦେଶ ସହିତ ଆମେରିକାର ହେବାକୁ ଥିବା ବାଣିଜ୍ୟିକ ଚୁକ୍ତିକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ସେ ସବୁ ବହୁତ ଭଲ ଚାଲିଛି ସବୁ ଠିକ୍ଠାକ୍ ଚାଲିଛି । କେବଳ ଗୁଗୁଲ୍ ନୁହେଁ, ଆମର ସମସ୍ତ ବଡ଼ କମ୍ପାନୀ ସହିତ ଯାହା ଘଟୁଛି ସେଥିପାଇଁ ଆମେ ୟୁରୋପୀୟ ସଂଘକୁ ନେଇ ଅସନ୍ତୋଷ । "
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, "ଆମେ ଯାହା କରିଛୁ ତାହା କେହି ୭ ମାସ ମଧ୍ୟରେ କରିନାହାଁନ୍ତି। ଆମେ ୭ଟି ଯୁଦ୍ଧ ବନ୍ଦ କରିଛୁ । ରୁଷ-ୟୁକ୍ରେନ, ଯାହାକୁ ମୁଁ ବୋଧହୁଏ ସବୁଠାରୁ ସହଜ ହେବ ବୋଲି ଭାବିଥିଲି, ତାହା ସବୁଠାରୁ କଷ୍ଟକର ଥିଲା । ଗୋଟିଏ ଯୁଦ୍ଧ ୩୧ ବର୍ଷ ଧରି ଚାଲିଥିଲା - ଯାହାକୁ ଅଟଳ ବୋଲି କୁହାଯାଉଥିଲା, ଏବଂ ମୁଁ ଏହାକୁ ମାତ୍ର ୨ ଘଣ୍ଟା ମଧ୍ୟରେ ସମାପ୍ତ କରିଦେଲି । ଆଉ ଗୋଟିଏ ୩୫ ବର୍ଷ ଧରି ଏବଂ ଆଉ ଏକ ୩୭ ବର୍ଷ ଧରି ଚାଲିଥିଲା ସେ ଯୁଦ୍ଧକୁ ସମାପ୍ତ କରିଛି ।''
କହି ରଖୁଛୁ କି, ଗତକାଲି (ଶୁକ୍ରବାର) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ଧମକାଇଥିଲେ । ଭବିଷ୍ୟତର ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତିକୁ ନେଇ ନିରାଶାଜନକ ସଙ୍କେତ ଦେଇଥିଲେ । ଦୁଇଦେଶ ମଧ୍ୟରେ ଆଉ କୌଣସି ଚୁକ୍ତି ନ ହେବା ମଧ୍ୟ ତାଙ୍କ ହରକତରୁ ଆଶଙ୍କା କରାଯାଇଥିଲା । ଟ୍ରୁଥ୍ ସୋସିଆଲ୍ରେ ସେ କରିଥିଲେ, ‘ଜଣାପଡୁଛି ଆମେ ଭାରତ ଓ ରୁଷ୍କୁ ଗଭୀରତମ, ଅନ୍ଧକାରତମ ଚୀନ୍ ହାତରେ ହରାଇ ଦେଇଛୁ । ଏକାଠି ସେମାନଙ୍କ ଭବିଷ୍ୟତ ସମୃଦ୍ଧ ତଥା ଲମ୍ବା ହେଉ ।’ ଟ୍ରମ୍ପ୍ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କର ଏକ ମିଳିତ ଫଟୋ ସେୟାର କରିଥିଲେ । ଏହି ପୋଷ୍ଟରେ ‘ଭାରତକୁ ହରାଇବା’ ମନ୍ତବ୍ୟ ଦେଇ ଟ୍ରମ୍ପ୍ ଏକପ୍ରକାର ସମ୍ପର୍କ ତୁଟାଇବାର ଇସାରା ଦେଇଥିଲେ । ଦୁଇଦିନ ତଳେ ସେ ଭାରତ ଉପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟାରିଫ୍ ଲଗାଇବା କଥା କହିଥିଲେ ।