କାବୁଲ,୦୯/୧୧; ପାକିସ୍ତାନକୁ ପୁଣି ଯୁଦ୍ଧ ଚେତାବନୀ ଦେଇଛି ତାଲିବାନ୍‌ । ଇସ୍ତାନବୁଲରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଉ କଥାବାର୍ତ୍ତା ନୁହେଁ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ । ସେ ଏଥିପାଇଁ ଇସଲାମାବାଦର ଅବାସ୍ତବ ଦାବିକୁ ଦାୟୀ କରିଛନ୍ତି । ଶାନ୍ତି ପ୍ରକ୍ରିୟାରେ ପାକିସ୍ତାନ ବାଧା ସୃଷ୍ଟି କରିଛି । ପାକିସ୍ତାନୀ ଅଧିକାରୀମାନଙ୍କୁ ଆଫଗାନ ଧୈର୍ଯ୍ୟ ପରୀକ୍ଷା ନ କରିବାକୁ କହିଛନ୍ତି । ଯଦି ଯୁଦ୍ଧ ହୁଏ ତେବେ ବୟସ୍କ ଓ ଯୁବ ସମସ୍ତ ଲଢେଇ କରିବାକୁ ପ୍ରସ୍ତୁତ ବୋଲି କହିଛି ତାଲିବାନ । ଏବେ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ପୁଣି ତୀବ୍ର ହେବା ଆଶଙ୍କା କରାଯାଉଛି ।

ଆଫଗାନିସ୍ତାନ ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ ସ୍ଥିତି ଆହୁରି ଖରାପ ହେଉଥିବା ଦେଖାଯାଉଛି । ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହୋଇଛି । ଦୁଇପକ୍ଷ ପରସ୍ପରକୁ ଖୋଲା ଚେତାବନୀ ଦେଇଛନ୍ତି । ତାଲିବାନ୍ ସରକାର ଇସଲାମାବାଦକୁ ସିଧା ସିଧା କହିଛି କି, ସେ ଆଫଗାନିସ୍ତାନ ଉପରେ କୌଣସି ଆକ୍ରମଣ ବରଦାସ୍ତ କରିବ ନାହିଁ । ଯଦି ଏପରି ହୁଏ ତେବେ କଡ଼ା ଜବାବ ଦିଆଯିବ । ଖାଲି ସେତିକି ନୁହେଁ, ପାକିସ୍ତାନ ସେନା ଜାଣିଶୁଣି ଉତ୍ତେଜନା ବଢାଇବାକୁ ଚେଷ୍ଟା କରୁଥିବା ତାଲିବାନ୍‌ ଅଭିଯୋଗ ଆଣିଛି । ଆଫଗାନିସ୍ତାନ ମାଟିକୁ ଅନ୍ୟ କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ । କୌଣସି ଦେଶକୁ ଆଫଗାନିସ୍ତାନର ସାର୍ବଭୌମତ୍ୱ, ସ୍ୱାଧୀନତା କିମ୍ବା ସୁରକ୍ଷାକୁ ଦୁର୍ବଳ କରିବାକୁ ଦେବ ନାହିଁ । ଯଦି ଏପରି କରାଯାଏ ତେବେ ଏହାର ଦୃଢ ଜବାବ ଦିଆଯିବ ବୋଲି କହିଛି ତାଲିବାନ୍‌ ।

'ଯଦି ଯୁଦ୍ଧ ହୁଏ, ବୃଦ୍ଧ ଏବଂ ଯୁବକ ଲଢିବାକୁ ପ୍ରସ୍ତୁତ'- ତାଲିବାନ୍ ଆହୁରି କହିଛି କି, ପାକିସ୍ତାନୀ ମୁସଲମାନମାନେ ଆଫଗାନଙ୍କ ଭାଇ । ତାଲିବାନ ସେମାନଙ୍କ ଭଲ ଚାହେଁ । ଶାନ୍ତି ଆଶା କରୁଛି । ହେଲେ ପାକିସ୍ତାନୀ ଅଧିକାରୀଙ୍କ ପାଇଁ ଏହା ସମ୍ଭବ ହୋଇପାରୁନାହିଁ । ପାକିସ୍ତାନୀ ଅଧିକାରୀ ଆଫଗାନୀଙ୍କ ଧୈର୍ଯ୍ୟର ପରୀକ୍ଷା ନନିଅନ୍ତୁ । ଯଦି ଯୁଦ୍ଧ ହୁଏ ତେବେ ଆଫଗାନିସ୍ତାନର ବୃଦ୍ଧ ଏବଂ ଯୁବକ ଲଢିବାକୁ ପ୍ରସ୍ତୁତ ।

ଇସଲାମାବାଦ ଦାବି କରିଥିଲା କି, ଆଫଗାନିସ୍ତାନ ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଦାୟିତ୍ୱ ଗ୍ରହଣ କରିବ । କିନ୍ତୁ ଏହା ଏପରି ଏକ ଅନୁରୋଧ ଯାହା କାବୁଲର କ୍ଷମତା ବାହାରେ ବୋଲି କହିଛନ୍ତି ମୁଜାହିଦ । ଶାନ୍ତି ଆଲୋଚନା ବିଫଳ ପରେ ମୁଜାହିଦ ନିଶ୍ଚିତ କରିଛନ୍ତି ଯେ, ଅସ୍ତ୍ରବିରତି ଏ ପର୍ଯ୍ୟନ୍ତ ଆମେ ଉଲ୍ଲଂଘନ କରିନାହୁଁ ପାଳନ କରିବାକୁ ଚାହୁଁଛୁ ।