ବ୍ରହ୍ମପୁର, ୨୧/୧୦: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ଘଟଣାରେ ଏବେ ନୂଆ ତଥ୍ୟ ପୁଲିସ ହାତରେ ଲାଗିଛି। ହତ୍ୟା ପଛରେ ରାଜନୈତିକ, ବ୍ୟବସାୟିକ ଓ ପୂର୍ବ ଶତ୍ରୁତା ଥିବା ପୁଲିସ ତଦନ୍ତରେ ଜଣାପଡିଛି । ସୋମବାର ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟରଙ୍କୁ ଉଠାଇ ଆଣିଥିଲା ପୁଲିସ । ଘଟଣାରେ ତାଙ୍କର ସଂପୃକ୍ତି ଅଛି କି ନାହିଁ ସେ ସମ୍ପର୍କରେ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ପଚରାଉଚରା କରୁଛି । କ୍ରାଇମ୍ ଲିଙ୍କ୍ ମିଳିଲେ ଗିରଫ ହେବେ ବୋଲି କୁହାଯାଇଛି ।
ଆଜି ପୁଲିସ ସହିଦ ଦିବସରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି, ପୁଲିସ ତଦନ୍ତରେ ଅନେକ ତଥ୍ୟ ମିଳିଛି। ଯୋଜନାବଦ୍ଧ ଭାବେ ପୀତବାସ ହତ୍ୟା କରାଯାଇଛି । ବହୁ ଅପରାଧୀଙ୍କ ସଂପୃକ୍ତି ରହିଛି । ଅତିଶୀଘ୍ର ଏହାର ଖୁଲାସା ହେବ । ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମଙ୍କ ନେତୃତ୍ୱରେ ୬ ଜଣିଆ ପୁଲିସ ଟିମ୍ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅନେକ ଅପରାଧୀଙ୍କୁ ପୁଲିସ ଉଠାଇସାରିଛି । ସଂପୃକ୍ତ ମାମଲାରେ ପୁଲିସ ଜଣେ ଜଣାଶୁଣା ରାଜନେତାଙ୍କୁ ବି ଜେରା କରୁଥିବା ସୂଚନା ମିଳିଛି । ଅଦ୍ୟାବଧି ଏହି ଘଟଣାରେ ୧୦ଜଣ ଅଟକ ଥିବା ବେଳେ ଆଉ କିଛି ଅପରାଧୀଙ୍କ ସଂପୃକ୍ତି ଥିବା ପୁଲିସ ସଂନ୍ଦେହ କରୁଛି । ଅପରାଧୀକ ତତ୍ତ୍ବଙ୍କୁ ଧରିବା ପରେ ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ୨୦୨୫ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡା ଏସ୍ଏନ୍ଟି ରୋଡ଼ରେ ଥିବା ତାଙ୍କ ବ୍ୟକ୍ତିଗତ ଚାମ୍ବରରୁ ଫେରି ନୂଆ ବସ୍ଷ୍ଟାଣ୍ଡ୍ରେ ଥିବା ଭୂପତି ହୋଟେଲକୁ ଯାଇଥିଲେ । ସେଠାରୁ ଖାଦ୍ୟ ପାର୍ସଲ ନେଇ ଘରକୁ ଯାଉଥିବା ବେଳେ ରାତି ୯ଟା ୫୮ରେ ବୈକୁଣ୍ଠନଗର ବୁଲାଣିରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଅପରାଧୀମାନେ ଘଟଣାର ପୂର୍ବରୁ ମଧ୍ୟ ସେହି ସ୍ଥାନକୁ ଆସି ତାଙ୍କ କ୍ରାଇମ୍ ପ୍ଲାନ୍ ପ୍ରସ୍ତୁତ କରି ରଖିଥିଲେ । କୁମାରପୂର୍ଣ୍ଣିମାରେ ସେମାନେ ସୁବିଧା ଦେଖି ପୀତବାସଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲାର ବଛା ବଛା ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ଖୁବ୍ଶୀଘ୍ର ଘଟଣାର ଖୁଲାସା ହେବା ଆଶା କରାଯାଉଛି ।