ଫିରିଙ୍ଗିଆ,୨୪/୧୦ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ପାଣ୍ଡୁ ପଦର ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଯାତାୟତ ସମସ୍ୟା ଭୋଗୁଛନ୍ତି  l ଦୀର୍ଘ ବର୍ଷ ହେବ ସରକାରଙ୍କ ନିକଟରେ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ l ଡେଙ୍ଗା ଗାଡୁଠାରୁ ପବିଙ୍ଗିଆ ପଞ୍ଚାୟତର ଦୁଇଟି ୱାର୍ଡ଼ ୮ ଏବଂ ୯ ନମ୍ବର ୱାର୍ଡ଼ ରାସ୍ତା ତେଜାମାହା ଦେଇ ବନ୍ଧଗଡ଼ରେ ଏହି ରାସ୍ତା ସଂଯୋଗ ହୋଇଛି l

ପ୍ରାୟ ଦୁଇଟି ୱାର୍ଡ଼ରେ ଡେଙ୍ଗା ଗାଡୁ, ଜଗାର ପଦର, ପାଣ୍ଡୁ ପଦର, କାମ୍ବା ପଡ଼ା ଭଳି ପ୍ରାୟ ୬ରୁ ଅଧିକ ଗାଁ ରହିଥିବା ବେଳେ ୧୫0ରୁ ଅଧିକ ଘର ରହିଛି l ସମୂହ ଅଞ୍ଚଳବାସୀଙ୍କ ପାଇଁ ରାସ୍ତା ଟିଏ ହୋଇପାରି ନାହିଁ । ପୂର୍ବରୁ ଅଞ୍ଚଳବାସୀ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ । ତାହାର ସମାଧାନ ନ ହେବାରୁ ବାଧ୍ୟ ହୋଇ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ମଧ୍ୟ କରିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ରାସ୍ତା ହୋଇ ପାରିନାହିଁ l ବର୍ଷା ଦିନେ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ନ ପାରି ଅଧା ବାଟରେ ରହିଥିଲା । ଅଟୋରେ ବିଲ ମଝିରେ ଠେଲି ଠେଲି ଗାଁ ଲୋକେ ମେଡ଼ିକାଲ ଆଣୁଥିବା ବାଟରେ ଅଟୋ ଆସିନପାରିବାରୁ ବିଲ ମଝିରେ ଗର୍ଭବତୀ ମହିଳା ଏକ ସନ୍ତାନ ଜନ୍ମ ଦେଇଥିଲେ । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା l ର୍ତ୍ତମାନ ବର୍ଷା କମିଥିବାବେଳେ ଯାତାୟତରେ ଅସୁବିଧା ହେବାରୁ ଦୁଇ ଦିନ ହେବ ଅଞ୍ଚଳରେ ୨୦ରୁ ଅଧିକ ଯୁବଗୋଷ୍ଠି ଓ ଅଞ୍ଚଳବାସୀ ଡେଙ୍ଗା ଗାଡୁଠାରୁ ପ୍ରାୟ ୨ କିଲୋମିଟର ଦୂର ରାସ୍ତାରେ ଥିବା ଖାଲଖମା ରାସ୍ତାକୁ ପଥର, ମାଟି ପକାଇ ମରାମତି କରିଛନ୍ତି l

ଗ୍ରାମବାସୀ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ ରାସ୍ତା ନିର୍ମାଣ ହେଉ ନ ଥିବା ଏବଂ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜ ନେତା ଗୁରୁତ୍ୱ ଦେଉ ନ ଥିବାରୁ ଅସନ୍ତୋଷ ଦେଖା ଦେଇଥିବାବେଳେ ଅଞ୍ଚଳବାସୀ ଯାତାୟତରେ ଅସୁବିଧା ହେଉଥିବା କହିଛନ୍ତି ସରପଞ୍ଚ ଲାଲମୋହନ କହଁର । ପଚାରିବାରୁ କହିଛନ୍ତି, ମୁଁ ରାସ୍ତା ପାଇଁ ବିଡିଓକୁ ଲେଖି କରି ଦେଉଛି, ରାସ୍ତା ଖୁବଶୀଘ୍ର କରାଯିବ । ଅଞ୍ଚଳବାସୀ ଏବଂ ଯୁବ ଗୋଷ୍ଠୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଥିବାବେଳେ ତୁରନ୍ତ ଡେଙ୍ଗା ଗାଡୁଠାରୁ ପାଣ୍ଡୁ ପଦର, କାମ୍ବା ପଡ଼ା, ତେଜା ମାହା ଦେଇ ବନ୍ଧଗଡ଼କୁ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳର ଲେତେଶ୍ୱର ମଲିକ, କରୁଣାକର କହଁର, ନିରଞ୍ଜନ ମଲିକ, ସିଦ୍ଧେଶ୍ୱର କହଁର, ଗୁପ୍ତେଶ୍ୱର କହଁର, ନନ୍ଦ କିଶୋର ମଲିକ, ମାନସ କହଁର, ରତ୍ନାକର କହଁର, ବଟକୃଷ୍ଣ କହଁରଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି l