ଫିରିଙ୍ଗିଆ,୧୪/୧୦ : ଫିରିଙ୍ଗିଆ ବ୍ଲକ ନୂଆପଦର ମଣ୍ଡଳ ସଭାପତି ଦେବେଶ୍ୱର ଦୀପଙ୍କୁ ଦଶପଲ୍ଲା ପୋଲିସ ମାଡ଼ ମାରିବା ଘଟଣାରେ ୬ ଦିନ ପରେ ଦେଲେ ଏତଲା । ଏହାସହ ଏହାର ଏକ ନକଲ ଓଡ଼ିଶା ରାଜ୍ୟପାଳ, ବିଜେପି ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦେଶକ, ଆରକ୍ଷୀ ଅଧିକ୍ଷକ କନ୍ଧମାଳ ଓ ଜିଲ୍ଲା ବିଜେପି ସଭାପତିଙ୍କୁ ମଧ୍ୟ ପଠାଯାଇଥିବା ଜଣାପଡ଼ିଛି I
ସୂଚନା ଅନୁସାରେ, ଗତ ୯ ତାରିଖ ଦିନ ଫିରିଙ୍ଗିଆ ବ୍ଲକ ସୁମେର ବନ୍ଧ ପଞ୍ଚାୟତର ଜଣେ ଅସହାୟ ବିଧବା ମୁଖ କର୍କଟ ରୋଗୀଙ୍କୁ ମଣ୍ଡଳ ସଭାପତି ଦେବସ୍ୱର ଦୀପ ତାଙ୍କ ନିଜ ଗାଡ଼ିରେ ତାଙ୍କର କିଛି ସହଯୋଗୀଙ୍କ ସହ କଟକ ବଡ଼ ମେଡ଼ିକାଲକୁ ଦେଖିବାକୁ ଯାଉଥିଲେ । ଏହି ସମୟରେ ରଙ୍ଗ ମାଟିଆ ନିକଟରେ ଥିବା ଟୋଲ୍ ଗେଟ୍ ନିକଟରେ ଏକ ଧଳା ବୋଲେରୋ ଗାଡ଼ିରେ ୭ରୁ ୮ଜଣ ବ୍ୟକ୍ତି ପୁଲିସ ଡ୍ରେସରେ ଦଶପଲ୍ଲା ପୁଲିସର ପରିଚୟ ଦେଇ ତାଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ I
ମଣ୍ଡଳ ସଭାପତି ତାଙ୍କର ପରିଚୟ ଦେବା ପରେ ମଧ୍ୟ ସେହି ପୋଲିସ କର୍ମଚାରୀମାନେ ତାଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ମଣ୍ଡଳ ସଭାପତି I ଅନ୍ୟପଟେ ଏହି ଏତଲା ଦେବା ସମୟରେ ମଣ୍ଡଳ ସଭାପତିଙ୍କ ସହ ଫିରିଙ୍ଗିଆ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପଙ୍କ ସହ ଅନ୍ୟମାନେ ଅଞ୍ଚଳର ବହୁ ଆଗ ଧାଡ଼ିର ବିଜେପି ନେତା ଓ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ I ତେବେ ଘଟଣାର ଉଚିତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ଫିରିଙ୍ଗିଆ ଥାନାରେ ଏହି ଲିଖିତ ଏତଲା ଦିଆଯାଇଥିବାବେଳେ ଆଗାମୀ ଦିନରେ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛି ଫିରିଙ୍ଗିଆ ବ୍ଲକ ଭାରତୀୟ ଜନତା ପାର୍ଟି I