ନୂଆଦିଲ୍ଲୀ,୨୭/୦୯: ରୁଷ ସହ ଏକ ବଡ଼  ଚୁକ୍ତି କରିବାକୁ ଯାଉଛି ଭାରତ । ଆମେରିକା ସହ ବିବାଦ ମଧ୍ୟରେ ଏହା ଅନେକ ମାତ୍ରାରେ ଗୁରୁତ୍ୱ  ବହନ କରୁଛି । କୃଷି ଏବଂ ସାର କ୍ଷେତ୍ରରେ ଏକାଠି  କାର୍ଯ୍ୟ କରିବାକୁ ଚିନ୍ତା କରୁଛନ୍ତି ଭାରତ ଏବଂ ରୁଷ । ପ୍ରକ୍ରିୟା ସହ ଜଡ଼ିତ ଜଣେ ବ୍ୟକ୍ତି ଏହି ସୂଚନା  ଦେଇଛନ୍ତି ।  

ବ୍ୟକ୍ତିଜଣକ କହିଛନ୍ତି ଯେ, ରୁଷ ସାର ଏବଂ  କୃଷି ସହ ଜଡ଼ିତ କ୍ଷେତ୍ରଗୁଡ଼ିକରେ ଏକ ବଡ଼  ଖେଳାଳୀ । ଭାରତ ଏବଂ ରୁଷ ମଧ୍ୟରେ ଏ କ୍ଷେତ୍ରରେ  ସହଯୋଗିତା ହେଲେ ଏହା ଉଭୟ ଦେଶ ମଧ୍ୟରେ  ସମ୍ପର୍କକୁ ମଜଭୁତ କରିବ । ଏହି ସହଯୋଗିତା  କେବଳ କ୍ରୟ ଏବଂ ବିକ୍ରୟ ମଧ୍ୟରେ ସୀମିତ  ରହିବ ନାହିଁ । ରୁଷର ଉପ-ପ୍ରଧାନମନ୍ତ୍ରୀ ଦିମିତ୍ରୀ ପାଟ୍ରୁଶେଭ ଭାରତରେ ଆୟୋଜିତ ୱାର୍ଲଡ ଫୁଡ୍‌  ଇଣ୍ଡିଆ ଏକ୍ସପୋରେ ଭାଗ ନେଇ ଏ ପ୍ରସଙ୍ଗରେ  ଆଲୋଚନା କରିଛନ୍ତି । ତାଙ୍କ ସହ ରୁଷ୍‌ର ଏକ ବଡ଼  ପ୍ରତିନିଧିଦଳ ଏଥିରେ ଯୋଗ ଦେଇଛନ୍ତି । ଭାରତରୁ ରୁଷକୁ ଚିଙ୍ଗୁଡି ରପ୍ତାନି ଯୋଜନାକୁ  ଆଗକୁ ବଢ଼ାଇବାରେ ଏହି ଆଲୋଚନା ସହାୟକ  ହେବ ।

ପ୍ରକାଶଯୋଗ୍ୟ, ଭାରତରୁ ଆସୁଥିବା ଚିଙ୍ଗୁଡ଼ି  ଉପରେ ଆମେରିକା ୫୦% ଟିକସ ଲଗାଇଛି । ଏଭଳି  କ୍ଷେତ୍ରରେ ରୁଷ ଭାରତୀୟ ଚିଙ୍ଗୁଡ଼ି ରପ୍ତାନିକାରୀଙ୍କ  ପାଇଁ ଉତ୍ତମ ବଜାର ପାଲଟିପାରେ । ଉଭୟ ଦେଶ  କୃଷି ଏବଂ ସାର ସମ୍ବନ୍ଧୀୟ କ୍ଷେତ୍ରରେ ଯୌଥ ଉଦ୍ୟୋଗ  ସ୍ଥାପନ ଉପରେ ବିଚାର କରୁଥିବା ଜଣାପଡ଼ିଛି ।  

ପ୍ରକାଶଯୋଗ୍ୟ, ଆମେରିକା ଭାରତରୁ ଚିଙ୍ଗୁଡ଼ି  କ୍ରୟ କରୁଥିବା ସର୍ବବୃହତ୍‌ ରାଷ୍ଟ୍ର । ଏଠାକୁ ପ୍ରତିବର୍ଷ  ବହୁ କୋଟି ଡଲାରର ଚିଙ୍ଗୁଡ଼ି ଭାରତରୁ ଯାଇଥାଏ ।  କିନ୍ତୁ ଆମେରିକା ଭାରତ ଉପରେ ଅନେକ ପ୍ରକାର  ଶୁଳ୍କ ଲାଗୁ କରିଛି । ଏଥିରେ ଆଣ୍ଟି-ସବ୍‌ସିଡି ଡ୍ୟୁଟି  ଏବଂ ଆଣ୍ଟି-ଡମ୍ପିଂ ଡ୍ୟୁଟି ସାମିଲ । ଫଳରେ ଭାରତୀୟ  ଚିଙ୍ଗୁଡ଼ି ଉପରେ ମୋଟ ଟିକସ ୫୮%ରୁ ଅଧିକ  ହେବା ସମ୍ଭାବନା ରହିଛି । ଫଳରେ ଭାରତୀୟ  ଚିଙ୍ଗୁଡ଼ି ରପ୍ତାନିକାରୀ ଇକ୍ୱେଡର, ଇଣ୍ଡୋନେସିଆ,  ଭିଏତ୍‌ନାମ ଏବଂ ଚୀନ୍‌ ଭଳି ଦେଶଗୁଡ଼ିକ ସହ  ମୁକାବିଲା କରିପାରିବେ ନାହିଁ । ଉଚ୍ଚ ଟାରିଫ୍‌ ଯୋଗୁ  ଦେଶର ବହୁ କୋଟି ଡଲାରର ରପ୍ତାନି ବ୍ୟାହତ  ହୋଇଛି ।  

ସୂତ୍ର ଅନୁସାରେ, ରୁଷର ବଜାର ଭାରତୀୟ  ଚିଙ୍ଗୁଡ଼ି ରପ୍ତାନିକାରୀଙ୍କୁ ଆଶ୍ୱସ୍ତି ଦେଇପାରେ । ଯଦିଓ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ୍‌ ସହ  ଭାରତର ବ୍ୟାପାରକୁ ସମାଲୋଚନା କରିଆସୁଛନ୍ତି  ଭାରତ ଏହାକୁ ଖାତିର କରୁନାହିଁ ।  ଏହାମଧ୍ୟରେ ରୁଷ ଭାରତକୁ ସାର ରପ୍ତାନି ୨୦%  ବଢ଼ାଇଛି ।

ଏ ବର୍ଷ ପ୍ରଥମ ୬ ମାସରେ ଏହା ୨୫  ଲକ୍ଷ ଟନ୍‌ ପର୍ଯ୍ୟନ୍ତ ପହଞ୍ଚିଛି । ରୁଷ ସାର ଉତ୍ପାଦକ  ସଂଘ(ଆର୍‌ଏଏଫ୍‌ପି)ର ମୁଖ୍ୟ ଆଣ୍ଡ୍ରୁ ଗୁରୟେବ  ନିକଟରେ କହିଥିଲେ ଯେ, ଭାରତର ମୋଟ  ସାର ଆମଦାନିରେ ରୁଷର ଭାଗ ୩୩% ପର୍ଯ୍ୟନ୍ତ  ପହଞ୍ଚିଛି । ଏହାର ଅର୍ଥ ଭାରତ ପକ୍ଷରୁ ଆମଦାନି  କରାଯାଉଥିବା ପ୍ରତି ୩ ଟନ୍‌ ସାରରେ ଏକ ଟନ୍‌  ରୁଷ୍‌ରୁ ଆସିଥାଏ । ଗତ ୪ ବର୍ଷରେ ଭାରତ ଏବଂ  ରୁଷ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ସାର ପ୍ରମୁଖ  ଭୂମିକା ଗ୍ରହଣ କରିଛି । ରୁଷରୁ ଡିଏପି ଏବଂ ଅନ୍ୟ  ଏନ୍‌ପିକେ ସାରର ଯୋଗାଣ ବଢ଼ାଯାଇଛି । ରୁଷର  କୃଷି ଏବଂ ତତ୍‌ ସମ୍ବନ୍ଧୀୟ ବଜାରରେ ଭାରତୀୟ  କମ୍ପାନିଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚିଛି । ଏ କ୍ଷେତ୍ରରେ  ସହଯୋଗ ବଢ଼ାଇବାର ଅଧିକ ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର  ୱାର୍ଲଡ ଫୁଡ୍‌ ଇଣ୍ଡିଆର ଉଦ୍‌ଘାଟନ କରିଛନ୍ତି । ଏ  କାର୍ଯ୍ୟକ୍ରମରେ ପାଟ୍ରୁଶେଭ୍‌, ସଡ଼କ ପରିବହନ  ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ, ଖାଦ୍ୟ  ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାଶ୍ୱାନ ପ୍ରମୁଖ ସାମିଲ  ହୋଇଥିଲେ । ଆମେରିକା ଭାରତୀୟ ଚିଙ୍ଗୁଡ଼ି ଉପରେ  ଟାରିଫ୍‌ ଲଗାଇବା ପରେ ରୁଷ ଭାରତ ପାଇଁ ଏକ  ଉତ୍ତମ ବଜାର ପାଲଟିପାରେ । ରୁଷ ଭାରତକୁ ଅଧିକ  ମାତ୍ରାରେ ସାର ମଧ୍ୟ ଯୋଗାଉଛି । ଫଳରେ ଉଭୟ  ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେଉଛି ।  ୱାର୍ଲଡ ଫୁଡ୍‌ ଇଣ୍ଡିଆ ଏକ୍ସପୋରେ ଉଭୟ ଦେଶର  ନେତୃତ୍ୱ ଏକତ୍ର ହୋଇ କୃଷି କ୍ଷେତ୍ରରେ ସହଯୋଗ  ବଢ଼ାଇବା ଲାଗି ଆଲୋଚନା କରୁଛନ୍ତି ।