ନୂଆଦିଲ୍ଲୀ,୧୬/୧୦: ୨୦୨୪ ରେ କେଉଁ ଦେଶର ନାଗରିକ ବିଦେଶ ଯାତ୍ରାରେ ସର୍ବାଧିକ ଅର୍ଥ ଖର୍ଚ୍ଚ କରିଛନ୍ତି, ସଂଯୁକ୍ତ ରାଷ୍ଟ୍ର ପର୍ଯ୍ୟଟନର ରିପୋର୍ଟରେ ଏହା ସାମ୍ନାକୁ ଆସିଛି । ଭାରତ ପ୍ରଥମ ଥର ବିଦେଶ ଯାତ୍ରାରେ ୩୫ ବିଲିଅନ୍ ଡଲାର ଖର୍ଚ୍ଚ କରି ବିଶ୍ୱ ଭ୍ରମଣର ଶୀର୍ଷ-୧୦ ତାଲିକାରେ ସ୍ଥାନ ପାଇଛି । ବିଦେଶ ଯାତ୍ରାରେ ଖର୍ଚ୍ଚ ମାମଲାରେ ଚୀନ୍ର ନାଗରିକ ୨୫୦.୬ ଅରବ ଡଲାର ଖର୍ଚ୍ଚ କରିଛନ୍ତି । ଏହି ଖର୍ଚ୍ଚ ଏତେ ଅଧିକ ଯେ, ଅଷ୍ଟ୍ରେଲିଆ, କାନାଡା, ରୁଷ୍, ଇଟାଲୀ ଓ ଭାରତର ମୋଟ୍ ଖର୍ଚ୍ଚକୁ ମିଶାଇଲେ ମଧ୍ୟ ଅଧିକ ହେବ । ଚୀନ୍ ପରେ ୨ୟ ସ୍ଥାନରେ ଅଛି ଆମେରିକା । ଏହା ବିଦେଶ ଭ୍ରମଣରେ ୧୭୭.୮ ଅରବ ଡଲାର ଖର୍ଚ୍ଚ କରିଛି । ଏଥିରୁ ସ୍ପଷ୍ଟ ଯେ ଦୁଇ ସବୁଠୁ ବଡ଼ ଆର୍ଥିକ ଶକ୍ତିଶାଳୀ ଦେଶ ନିଜ ନାଗରିକଙ୍କୁ ବିଦେଶ ଯାତ୍ରାର ଭରପୂର ମଉକା ଦେଉଛନ୍ତି ।
ବିଦେଶ ଯାତ୍ରା ଖର୍ଚ୍ଚ ମାମଲାରେ ୟୁରୋପ ମଧ୍ୟ ପଛରେ ନାହିଁ । ଶୀର୍ଷ ୫ ଦେଶରେ ଜର୍ମାନୀ, ବ୍ରିଟେନ ଓ ଫ୍ରାନ୍ସ ଅଛନ୍ତି । ଜର୍ମାନୀ ୧୨୦.୩ ଅରବ ଡଲାର, ବ୍ରିଟେନ ୧୧୯.୨ ଅରବ ଡଲାର ଏବଂ ଫ୍ରାନ୍ସ ୬୦ ଅରବ ଡଲାର ଖର୍ଚ୍ଚ କରିଛନ୍ତି । ଅଷ୍ଟ୍ରେଲିଆ ୪୫.୬ ଅରବ ଡଲାର, କାନାଡ଼ା ୪୩.୬ ଅରବ ଡଲାର, ରୁଷ୍ ୩୮.୮ ଅରବ ଡଲାର ଏବଂ ଇଟାଲୀ ୩୫.୭ ଅରବ ଡଲାର ଖର୍ଚ୍ଚ କରିଛନ୍ତି । ରିପୋର୍ଟ ଅନୁସାରେ, ଭାରତୀୟମାନେ ୨୦୨୪ରେ ଅନ୍ତର୍ଜାତୀୟ ଯାତ୍ରାରେ ୩୫ ଅରବ ଡଲାର ଖର୍ଚ୍ଚ କରିଛନ୍ତି । ଏହି ତଥ୍ୟ ଭାରତକୁ ବିଶ୍ୱର ଶୀର୍ଷ ୧୦ ଦେଶ ମଧ୍ୟରେ ସାମିଲ କରିଛି । ଏହି ଖର୍ଚ୍ଚ ୨୦୨୩ର ୩୪.୨ ଅରବ ଡଲାର ତୁଳନାରେ ଅଧିକ । କୋଭିଡ୍ ମହାମାରୀ ପୂର୍ବର ଖର୍ଚ୍ଚ- ୨୨.୯ ଅରବ ଡଲାର ତୁଳନାରେ ମଧ୍ୟ ଖୁବ୍ ଅଧିକ।