ନୂଆଦିଲ୍ଲୀ ୨୬/୧୦: ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ୬.୬% ହାରରେ ବଢ଼ିବ । ଏଥିସହିତ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଏହାର ମାନ୍ୟତା ବଜାୟ ରଖିବ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ଏହାର ୱାର୍ଲଡ ଇକୋନୋମିକ୍ ଆଉଟ୍ଲୁକ୍(ଡବ୍ଲ୍ୟୁଇଓ) ରିପୋର୍ଟରେ ଏହା ଉଲ୍ଲେଖ କରିଛି । ପ୍ରଥମ ତ୍ରୟମାସରେ ଦେଶର ମଜଭୁତ ଅର୍ଥନୈତିକ ପ୍ରଦର୍ଶନକୁ ଆଖି ଆଗରେ ରଖି ଆଇଏମ୍ଏଫ୍ ଏହି ପୂର୍ବାନୁମାନ କରିଛି ।
ଆଇଏମ୍ଏଫ୍ ଅନୁସାରେ, ଭାରତ ଅଭିବୃଦ୍ଧି କ୍ଷେତ୍ରରେ ଚୀନ୍କୁ ପଛରେ ପକାଇବ । ଆଲୋଚ୍ୟ ଅବଧିରେ ଚୀନ୍ ୪.୮% ହାରରେ ବଢ଼ିବ ବୋଲି ଅନୁମାନ କରାଯାଇଛି । ବିଭିନ୍ନ ଅର୍ଥବ୍ୟବସ୍ଥାଗୁଡ଼ିକ ଉପରେ ଆମେରିକୀୟ ଟାରିଫ୍ର ପ୍ରଭାବକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସଂଶୋଧିତ ଆକଳନମାନ କରିଛି । ତେବେ ୨୦୨୬ ପାଇଁ ଭାରତର ଅଭିବୃଦ୍ଧି ଅନୁମାନକୁ ଏହା ୬.୨%କୁ ଖସାଇଦେଇଛି ।
୨୦୨୫ରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ୩.୨% ରହିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି । ୨୦୨୬ରେ ଏହା ୩.୧%କୁ ଖସିଯିବ ବୋଲି ଏହା ପ୍ରକାଶ କରିଛି । ଚଳିତବର୍ଷ ବିକଶିତ ଅର୍ଥନୀତିଗୁଡ଼ିକ ହାରାହାରି ୧.୬% ହାରରେ ବଢ଼ିବେ ଏବଂ ବିକାଶମୁଖୀ ଅର୍ଥବ୍ୟବସ୍ଥାଗୁଡ଼ିକ ୪.୨% ହାରରେ ବଢ଼ିବେ ବୋଲି ଆଇଏମ୍ଏଫ୍ ଅନୁମାନ କରିଛି ।