ନୂଆଦିଲ୍ଲୀ,୦୫/୧୦: ପାକିସ୍ତାନ ସଂଲଗ୍ନ  ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଓ ଧାର୍ମିକ ସ୍ଥଳର ସୁରକ୍ଷା ଆହୁରି ମଜଭୁତ କରିବାକୁ ଯାଉଛି ଭାରତ । ଏଥିପାଇଁ  ଭାରତୀୟ ସେନା ସୁଦର୍ଶନ ଚକ୍ରକୁ ଭୂପୃଷ୍ଠରେ ନିୟୋଜିତ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।  ସେନା ପକ୍ଷରୁ ୬ଟି ନୂଆ ଏକେ-୬୩୦ ଏୟାର ଡିଫେନ୍ସ ଗନ ସିଷ୍ଟମ କିଣିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସରକାରୀ କମ୍ପାନି ଏଡବ୍ଲ୍ୟୁଇଆଇଏଲ  (ଆଡଭାନ୍ସଡ ୱିପନ ଆଣ୍ଡ ଇକ୍ୱିପମେଣ୍ଟ ଇଣ୍ଡିଆ  ଲିମିଡେଟ)କୁ ଟେଣ୍ଡର ଦିଆଯାଇଛି । ଏହି ଗନ୍‌ ସିଷ୍ଟମ ହେଉଛି ସୁଦର୍ଶନ ଚକ୍ରର ଅଂଶବିଷେଷ । ଯେଉଁ ସୁଦର୍ଶନ ଚକ୍ର ମିଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ  ଉଲ୍ଲେଖ କରିଥିଲେ ।

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ  ଅପରେସନ ସିନ୍ଦୂର ସମୟରେ ଏହି ଗନ୍‌ ସିଷ୍ଟମର ଆବଶ୍ୟକତା ଅନୁଭବ ହୋଇଥିଲା । ପାକିସ୍ତାନୀ ସେନା ଜମ୍ମୁ-କାଶ୍ମୀର ଓ ପଞ୍ଜାବର ଜନବହୁଳ ତଥା ଧାର୍ମିକ ସ୍ଥଳକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଡ୍ରୋନ୍‌ ଓ ରକେଟ ଆକ୍ରମଣ କରିଥିଲା । ସେତେବେଳେ ଏହି ସୁଦର୍ଶନ ଚକ୍ରର ଆବଶ୍ୟକତା ଦେଖାଦେଇଥିଲା । ବର୍ତ୍ତମାନ ସେନା କିଣୁଥିବା ୬ଟି ନୂଆ ଗନ୍‌ ସିଷ୍ଟମ  ସେହିସବୁ ଅଞ୍ଚଳରେ ମୁତୟନ କରାଯିବ। ଯାହାଫଳରେ ସେଠାରେ ବାୟୁ ସୁରକ୍ଷା ବ୍ୟବସ୍ଥା  ଅଧିକ ମଜଭୁତ ହୋଇପାରିବ । ପ୍ରଧାନମନ୍ତ୍ରୀଙ୍କ  ସୁଦର୍ଶନ ଚକ୍ର ମିଶନର ଲକ୍ଷ୍ୟ ହେଉଛି ୨୦୩୫  ସୁଦ୍ଧା ଏକ ସ୍ୱଦେଶୀ ତଥା ବହୁମୁଖୀ ସୁରକ୍ଷା କବଚ  ପ୍ରସ୍ତୁତ କରିବାକୁ ହେବ ଯେଉଁଥିରେ ଶତ୍ରୁ ଉପରେ  କଡା ନଜର, ସାଇବର ସୁରକ୍ଷା ଓ ଏୟାର ଡିଫେନ୍ସ  ସିଷ୍ଟମକୁ ସାମିଲ କରାଯାଇପାରିବ।

ଏକେ-୬୩୦ ହେଉଛି ଏକ ୩୦ ମି.ମି. ମଲ୍ଟି  ବାରେଲ ମୋବାଇଲ ଗନ ସିଷ୍ଟମ । ପ୍ରତି ମିନିଟ୍‌ରେ  ଏଥିରୁ ୩ ହଜାର ରାଉଣ୍ଡ ଗୁଳି ଚାଲିପାରିବ ।  ଏହାର ମାରକ କ୍ଷମତା ପ୍ରାୟ ୪ କି.ମି. ଦୂର ।  ଏହାକୁ ଏକ ଟ୍ରେଲର ଉପରେ ମୁତୟନ କରାଯିବ । ଯାହାଫଳରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ  ସ୍ଥାନକୁ ସହଜରେ ନେଇହେବ । ଏହି ଗନ ସିଷ୍ଟମ  ଡ୍ରୋନ, ରକେଟ, ମୋର୍ଟାର, ଆର୍ଟିଲେରି ଭଳି  ଆକାଶ ମାର୍ଗରୁ ଆସୁଥିବା ବିପଦକୁ ରୋକିବାରେ  ସକ୍ଷମ ହେବ । ଏଥିରେ ଅଲ୍‌ୱେଦର ଇଲେକ୍ଟ୍ରୋ- ଅପ୍ଟିକାଲ ଫାୟାର କଣ୍ଟ୍ରୋଲ ସିଷ୍ଟମ ରହିବ । ଯାହା  ପ୍ରତିକୂଳ ପରିବେଶରେ ମଧ୍ୟ ଟାର୍ଗେଟକୁ ଠାବ କରି ନଷ୍ଟ କରିବାରେ ସକ୍ଷମ ହେବ। ବର୍ତ୍ତମାନ  ଭାରତ ପାଖରେ ସ୍ୱଦେଶୀ ଆକାଶତୀର କମାଣ୍ଡ ଆଣ୍ଡ  କଣ୍ଟ୍ରୋଲ ସିଷ୍ଟମ ରହିଛି । ଯାହାକୁ ଭାରତର ଆଇରନ ଡୋମ ବୋଲି କୁହାଯାଉଛି । ଏହା ଏକ ସ୍ୱଦେଶୀ ଏଆଇ ପରିଚାଳିତ ଏୟାର ଡିଫେନ୍ସ ସିଷ୍ଟମ ।