ନୂଆଦିଲ୍ଲୀ,୨୯/୧୦: ତୁଟିଗଲା ବୁଝାମଣା । ୩ ସପ୍ତାହ ତିଷ୍ଠିଲାନି ପିସ୍‌ ପ୍ଲାନ । ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିନାମା ତିନି ସପ୍ତାହ ରହିଲା ନାହିଁ। ମଙ୍ଗଳବାର ବିଳମ୍ବିତ ରାତିରେ ଗାଜା ଷ୍ଟ୍ରିପରେ ବିମାନ ଆକ୍ରମଣ ହୋଇଛି । ଯେଉଁଥିରେ ୬୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଗାଜା ଉପରେ ପ୍ରଚଣ୍ଡ ହମ୍‌ଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ଇସ୍ରାଏଲ୍‌ ନେତନ୍ୟାହୁ ବେଞ୍ଜାମିନ୍ । ହମାସ୍ ଯୁଦ୍ଧବିରତି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ଶକ୍ତିଶାଳୀ ଆକ୍ରମଣ ପାଇଁ ଇସ୍ରାଏଲ୍‌ ସେନାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ।

ରିପୋର୍ଟ ମୁତାବିକ୍‌, ପାଲେଷ୍ଟାଇନୀ ଗୋଷ୍ଠୀ ହମାସ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ଇସ୍ରାଏଲ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜାରେ ତୁରନ୍ତ ଆକ୍ରମଣ କରିବାକୁ ସେନାକୁ ନିର୍ଦ୍ଦେଶ ଦେବା ପରେ ଏହି ଆକ୍ରମଣ ହୋଇଛି ।  ପ୍ରତ୍ୟକ୍ଷଦର୍ଶୀ ଏବଂ ହମାସ୍‌ ମିଡିଆ ମୁତାବିକ ନେତନ୍ୟାହୁଙ୍କ ଆଦେଶ ପରେ ଇସ୍ରାଏଲ ସେନା ଉତ୍ତର ଗାଜା ଉପରେ ବଡ଼ ଆକ୍ରମଣ କରିଛି । ଶିଫା ହସ୍ପିଟାଲ ପାଖ ଅଞ୍ଚଳକୁ ଟାର୍ଗେଟ କରାଯାଇଛି । ୬୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି । ଇସ୍ରାଏଲର ପୁନଃଯୁଦ୍ଧକୁ ନେଇ ଆରବ ରାଷ୍ଟ୍ରମାନେ ଚିନ୍ତାରେ ପଡ଼ିଛନ୍ତି । ଗାଜାକୁ ନେଇ ପରବର୍ତ୍ତୀ ରଣନୀତି କ’ଣ ହେବ ସେ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି ।

ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି ବୁଝାମଣାକୁ ହମାସ୍‌ ବାରମ୍ବାର ଉଲ୍ଲଂଘନ କରିବା ଯୋଗୁ ନେତନ୍ୟାହୁ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ରାଫାରେ ଇସ୍ରାଏଲୀ ସେନା ଉପରେ ହମାସ୍‌ ପକ୍ଷରୁ ତୀବ୍ର ଆକ୍ରମଣ କରାଯିବା ପରେ ବିବାଦ ଅଧିକ ବଢ଼ିଯାଇଛି । ହମାସ୍‌ର ଔଦ୍ଧତ୍ୟକୁ ଦୃଷ୍ଟି ରଖି ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ନିଜ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ସହ ଜରୁରୀ ବୈଠକ କରିଥିଲେ । ବୈଠକରେ ତୁରନ୍ତ ଗାଜା ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା ।

କହି ରଖୁଛୁ କି, ହମାସ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ୨୦ ଦିନ ପୂର୍ବେ ଯୁଦ୍ଧବିରତି ବୁଝାମଣା ହୋଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନେତନ୍ୟାହୁଙ୍କ ଉପସ୍ଥିତିରେ ସେପ୍ଟେମ୍ବର ୨୯ରେ ୨୦ ସୂତ୍ରୀ ଶାନ୍ତି ଯୋଜନା ଉପସ୍ଥାପନ କରିଥିଲେ । ହ୍ୱାଇଟ୍‌ ହାଉସ୍‌ରେ ଉଭୟ ନେତା ପରସ୍ପର ସହ ଆଲୋଚନା କରିଥିଲେ । ଏହାପରେ ନେତନ୍ୟାହୁ ଏହାକୁ ସ୍ୱୀକାର କରିଥିଲେ । ଅକ୍ଟୋବର ୨୦୨୩ରେ ଇସ୍ରାଏଲ-ହମାସ ସଂଘର୍ଷ ଆରମ୍ଭ ହେବା ପରଠାରୁ ଅତି କମରେ ୬୮,୫୨୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୭୦,୩୯୫ ଜଣ ଆହତ ହୋଇଛନ୍ତି । ଅକ୍ଟୋବର ୭, ୨୦୨୩ ସୁଦ୍ଧା, ହମାସ ନେତୃତ୍ୱରେ ଆକ୍ରମଣ ସମୟରେ ଇସ୍ରାଏଲରେ ମୋଟ ୧,୧୩୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୫୦ରୁ ଅଧିକ ଲୋକଙ୍କୁ ବନ୍ଦୀ କରାଯାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଅକ୍ଟୋବର ୧୦ରେ ସିଜଫାୟାର ଲାଗୁ ହୋଇଥିଲା । ହମାସ୍‌ ୨୮ ଇସ୍ରା ବନ୍ଧକଙ୍କୁ ମୁକ୍ତ କରିଥିଲା ।