ଭୁବନେଶ୍ଵର, ୧୪/୧୦ : ନୂଆପଡ଼ା ଦଖଲ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ। ଜୟ ଢୋଲକିଆଙ୍କ ନାମ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ସୂଚନା। ୧୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭରିବେ ନାମାଙ୍କନ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ୧୬ରେ ନୂଆପଡ଼ା ଗସ୍ତରେ ଯିବେ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ବିଶାଳ ସମାବେଶ କରିବେ। ଏହି ଅବସରରେ ଦୁଇ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍ ହେବେ । 

ସେପଟେ ବିଜେଡିର ନୂଆପଡ଼ା ଯୋଦ୍ଧା ଫାଇନାଲ୍ ହୋଇପାରୁନାହାନ୍ତି। ରାଜ୍ୟ ବିଜେଡି ସଭାପତି କୋର କମିଟିକୁ ନୂଆପଡ଼ା ପ୍ରାର୍ଥୀ ଚୟନ ଦାୟିତ୍ଵ ଦେଇଛନ୍ତି। ମାନସ ମନ୍ଥନ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ଏକ ତାଲିକା ପ୍ରସ୍ତୁତ କରି ନବୀନଙ୍କୁ ଦିଆଯିବ। ଦଳରେ ବଡ଼ ବଡ଼ ଛାମୁଆ ନେତା ଥିବା ସତ୍ତ୍ଵେ ଏଯାଏଁ ବିଜେଡିର ପ୍ରାର୍ଥୀ ଚୟନ ହୋଇପାରୁନାହିଁ। 

ସେପଟେ ପ୍ରଚାରରେ ଆଗେଇ ଚାଲିଛି କଂଗ୍ରେସ । ଖୁବଶୀଘ୍ର କଂଗ୍ରେସ ପ୍ରଚାରକ ତାଲିକା ଘୋଷଣା କରିବ । ପ୍ରଚାର ପାଇଁ ଦିଲ୍ଲୀରୁ ବି ନେତା ଆସିପାରନ୍ତି । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବିଭିନ୍ନ ଗାଁରେ ସଭା, ପଦଯାତ୍ରା ସହ ମିଶ୍ରଣ ପର୍ବ ଆୟୋଜନ କରି ଚାଲିଛି କଂଗ୍ରେସ । ସେହିପରି ଆଗୁଆ ପ୍ରାର୍ଥୀ ଘୋଷଣା ହୋଇଥିବାରୁ ସାମାଜିକ ଗଣମାଧ୍ୟମରେ ମଧ୍ୟ କଂଗ୍ରେସ ଶାଣିତ ପ୍ରଚାର ଆରମ୍ଭ କରିଛି । ନିର୍ବାଚନମଣ୍ଡଳୀର ସବୁ ଆଦିବାସୀ ଭୋଟକୁ ଏକାଠି କରି ନିଜ ସପକ୍ଷକୁ ନେବାକୁ ଘାସିରାମ ଉଦ୍ୟମ କରୁଛନ୍ତି ।
​​​​​​​