ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରସ୍ଥିତ ହଜରତବାଲ ସ୍ଥଳିରେ ରାଷ୍ଟ୍ରୀୟ ପ୍ରତୀକ (ଅଶୋକ ସ୍ତମ୍ଭ) ଖଚିତ ଏକ ଉଦ୍‌ଘାଟନୀ ପ୍ଲେକ୍‌କୁ ନଷ୍ଟ କରାଯିବା ଘଟଣା ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି ଘଟଣାରେ ଜାମ୍ମୁ ଓ କାଶ୍ମୀର ଓ୍ୱାକଫ ବୋର୍ଡ ଦୋଷୀମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି। ଏହି ପ୍ଲେକ୍‌ଟି ଉକ୍ତ ଧାର୍ମିକ ସ୍ଥଳିରେ ହୋଇଥିବା ସଂସ୍କାର କାର୍ଯ୍ୟର ଉଦ୍‌ଘାଟନ ପାଇଁ ରଖାଯାଇଥିଲା ଯାହାକୁ ଓ୍ୱାକାଫ ବୋର୍ଡ ଅଧ୍ୟକ୍ଷା ଡକ୍ଟର ଦାରାଖଶାନ ଆନ୍ଦ୍ରାବୀଙ୍କ ନେତୃତ୍ୱରେ ଗତ ସେପ୍ଟେମ୍ବର ୩ ତାରିଖରେ ଉଦ୍‌ଘାଟିତ କରାଯାଇଥିଲା।

ସ୍ଥାନୀୟ ଲୋକଙ୍କ ଏକ ସମୂହ ଏହି ପ୍ଲେକ୍‌ରେ ଥିବା ରାଷ୍ଟ୍ରୀୟ ପ୍ରତୀକକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଉତ୍ତେଜିତ ଜନତା ପଥର ଫିଙ୍ଗି ପ୍ଲେକ୍‌କୁ କ୍ଷତିଗ୍ରସ୍ତ କରୁଥିବା ଦେଖାଯାଇଛି। ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ତୀବ୍ର ହୋଇଛି।

ଓ୍ୱାକାଫ ବୋର୍ଡ ଅଧ୍ୟକ୍ଷା ଡକ୍ଟର ଆନ୍ଦ୍ରାବୀ ଏହି ଘଟଣାକୁ "ସମ୍ବିଧାନ ଓ ହଜରତବାଲ ସ୍ଥଳିର ପବିତ୍ରତା ଉପରେ ଆକ୍ରମଣ" ବୋଲି ଅଭିହିତ କରିଛନ୍ତି। ସେ ଏହାକୁ ଏକ "ଆତଙ୍କବାଦୀ କାର୍ଯ୍ୟ" ବୋଲି ବର୍ଣ୍ଣନା କରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ପୁଲିସକୁ ଚେତାବନୀ ଦେଇଥିବା କହିଛନ୍ତି ଏବଂ ଦୋଷୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏଠାରେ ପ୍ରବେଶ ଉପରେ ଆଜୀବନ ନିଷେଧାଦେଶ ଜାରି କରାଯିବ ବୋଲି ଘୋଷଣା କରିଛନ୍ତି। ଏହା ସହିତ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟର ଶାସକ ଦଳ ନ୍ୟାସନାଲ କନଫରେନ୍ସ (ଏନସି)ର ମୁଖ୍ୟ ମୁଖପାତ୍ର ତଥା ଜାଦିବାଲ ବିଧାୟକ ତନଭୀର ସାଦିକ ଏହି ଘଟଣାକୁ ନେଇ ଓ୍ୱାକଫ ବୋର୍ଡକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଇସଲାମ ଧର୍ମରେ ମୂର୍ତ୍ତିପୂଜା ନିଷିଦ୍ଧ ଏବଂ ହଜରତବାଲ ପରି ପବିତ୍ର ସ୍ଥାନରେ ରାଷ୍ଟ୍ରୀୟ ପ୍ରତୀକ ଭଳି କୌଣସି ଆକୃତି ସ୍ଥାପନ କରିବା ଇସଲାମିକ ଏକେଶ୍ୱରବାଦ (ତୌହିଦ) ବିରୋଧୀ। ସେ ଓ୍ୱାକାଫ ବୋର୍ଡକୁ ଧାର୍ମିକ ଭାବନାକୁ ଅବମାନନା କରିବା ପାଇଁ ଦାୟୀ କରିଛନ୍ତି।

ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ବିବାଦ ରାଜନୀତି, ଧର୍ମ ଓ ସାମ୍ବିଧାନିକ ପ୍ରତୀକ ଆଧାରରେ କାଶ୍ମୀରରେ ଆହୁରି ମତାନ୍ତର ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।