ଦୁବାଇ,୧୬/୧୦: ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍କୁ ନେପାଳ ଯୋଗ୍ୟତା ଅର୍ଜନ କରିଛି । ଚଳିତ ଏସିଆ/ପୂର୍ବ ଏସିଆ ପାସିଫିକ ଯୋଗ୍ୟତା ପର୍ଯ୍ୟାୟରୁ ୩ଟି ଦଳ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବେ । ଓମାନ ଓ ନେପାଳ ପ୍ରଥମ ୨ ଦଳ ଭାବେ ବିଶ୍ୱକପ୍ ଟିକେଟ୍ ହାସଲ କରିଛନ୍ତି । ସୁପର-୬ ରାଉଣ୍ଡ୍ରେ ୟୁଏଇ ୭୭ ରନ୍ରେ ସାମୋଆକୁ ପରାସ୍ତ କରିବା ପରେ ନେପାଳ ଓ ଓମାନର ଯୋଗ୍ୟତା ନିଶ୍ଚିତ ହୋଇଥିଲା । ଉଭୟ ମିଳିତ ଭାବେ ପଏଣ୍ଟ ତାଲିକାର ଶୀର୍ଷରେ ରହିଛନ୍ତି । କେବଳ ରନ୍ ରେଟ୍ରେ ଓମାନ ଦ୍ୱିତୀୟକୁ ଖସିଛି । ୟୁଏଇ ତୃତୀୟ ସ୍ଥାନରେ ରହିଛି ।
ଆଜି ୟୁଏଇ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଜାପନକୁ ଭେଟିବ । ଏହି ମ୍ୟାଚ୍ ଜିତିଲେ ଦଳ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବ । ନେପାଳ ସୁପର-୬ ରାଉଣ୍ଡର ଏକ ମ୍ୟାଚ୍ରେ କତାରକୁ ୬ ରନ୍ରେ ହରାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ନେପାର ୯/୧୪୭ ରନ କରିଥିଲା । ଦଳ ପକ୍ଷରୁ ରୋହିତ ପୁଡେଲ ସର୍ବାଧିକ ୫୮ ରନ କରିଥିଲେ। ଜବାବରେ କତାର ୧୯.୫ ଓଭରରେ ୧୪୨ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ନେପାଳ ପକ୍ଷରୁ ସନ୍ଦିପ ଲାମିଚେନ ୫ଟି ୱିକେଟ୍ ଅକ୍ତିଆର କରିଥିଲେ ।