​​​​​​​ବାରିପଦା, ୧୫।୯ : ମୟୂରଭଞ୍ଜ ଜିଲ୍ଲାର ଲୋକଙ୍କ ଭିତରେ ସଂସ୍କୃତି ଭରି ରହିଛି । ଏଠାରେ ଜନଜାତି ସମୁଦାୟଙ୍କ ମଧ୍ୟରେ ଆଦୃତ ପାରମ୍ପରିକ ଲୋକଗୀତ ଝୁମରଲୋକ ଅସ୍ମିତା, ଲୋକ ଅଭିବ୍ୟକ୍ତିର ପ୍ରତୀକ । ଝୁମର ଏହି ଅଞ୍ଚଳର ସଭ୍ୟତା ଓ ସମ୍ପନ୍ନତାର ପ୍ରତିବିମ୍ବ ସୋମବାର ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଝୁମର କର୍ମଶାଳାରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଓଡ଼ିଶା ଝୁମର ଏକାଡେମୀମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ଦିଗରେ ହୋଇଥିବା ଲଢେଇରେ ମୟୂରଭଞ୍ଜ ତଥା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ ।  ତାଙ୍କର ପୃଷ୍ଠପୋଷକତା କାରଣରୁ ଓଡ଼ିଆ ଭାଷା ସାହିତ୍ୟ ଋଦ୍ଧିମନ୍ତ ହୋଇଛି ।  କଟକ ଏସସିବି ମେଡିକାଲ କଲେଜ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରି ଉନ୍ନତମାନର ଉଚ୍ଚ ଶିକ୍ଷାନୁଷ୍ଠାନ, ଓଡ଼ିଶାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଡ଼ ଅବଦାନ । ମୟୂରଭଞ୍ଜ ନିଜର ଝାଳବୁହା ଅର୍ଥରେ ଜିଲ୍ଲାର ବିକାଶ ପାଇଁ ନୁହେଁ, ବରଂ ସମଗ୍ର ଓଡ଼ିଶାର ଭାଷା ଓ ସାହିତ୍ୟର ଉତ୍ଥାନ ପାଇଁ ଯୋଗଦାନ ଦେଇଛି । ମୟୂରଭଞ୍ଜ ସର୍ବଦା ପରିବର୍ତ୍ତନଶୀଳ ।  ମୟୂରଭଞ୍ଜର ଶତାବ୍ଦୀ ଶତାବ୍ଦୀ ପୁରୁଣା ତାଳପୋଥି ହରିଦ୍ୱାରରେ ସଂଗୃହିତ ହୋଇଛି, ଯାହା ଜିଲ୍ଲାର ଭବ୍ୟତା ଓ ଗଭୀରତାକୁ ଦର୍ଶାଉଛି । 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜକୁ ଗୌରବାନ୍ୱିତ କରିଛନ୍ତି । ଆମର ସମସ୍ତଙ୍କ ଦାୟିତ୍ୱ, ଏହି ଜିଲ୍ଲାର କଳା, ଐତିହ୍ୟ ଓ ଇତିହାସକୁ ଶ୍ରୀମନ୍ତ କରିବା । ସଂସ୍କୃତ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ହେବ । ବେଦ ଅଧ୍ୟୟନକୁ ବୁଝିବାକୁ ହେଲେ ପୁନଃସଂସ୍କୃତି ଶିକ୍ଷାର ଉତଥାନ କରିବାକୁ ହେବ । ଝୁମର ଓ ଛଉ ଭଳି ଲୋକଗୀତ ଓ ନୃତ୍ୟକୁ ବିଶ୍ୱବିଦିତ କରିବା ପାଇଁ ଯୋଜନା କରିବାକୁ ହେବ । ତେବେ ଯାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ବିକଶିତ ଓଡ଼ିଶାବିକଶିତ ଭାରତଗଠନ ବାସ୍ତବର ରୂପ ନେବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଇନଡୋର ଷ୍ଟାଡିୟମ ଓ ଚିକିତ୍ସାଳୟର ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି କର୍ମଶାଳାରେ ଓଡ଼ିଶାର ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହନ୍ତ, ମୟୂରଭଞ୍ଜ ଜିଲ୍ଲାର ବିଧାୟକ ଏବଂ ଓଡ଼ିଶା ଝୁମର ଏକାଡେମୀର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।