ନୂଆଦିଲ୍ଲୀ ୧୦/୦୯: ନିଜ ଦେହାନ୍ତ ଖବର ଶୁଣି ଚକିତ ହୋଇଛନ୍ତି ‘ସିଂଘମ୍’ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଅନେକ ସୋସିଆଲ ମିଡିଆ ରିପୋର୍ଟରେ ଦାବି ହେଲା, ଏକ ଦୁର୍ଘଟଣାରେ କାଜଲଙ୍କର ମୃତ୍ୟୁ ହୋଇଛି । ଏହାର ପ୍ରତିକ୍ରିୟା ଦେଇ କାଜଲ ସୁରକ୍ଷିତ ଓ ସୁସ୍ଥ ଥିବା ସ୍ପଷ୍ଟ କରିଛନ୍ତି । ଲୋକଙ୍କୁ ଏ ପ୍ରକାର ଗୁଜବଠୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
କାଜଲ ନିଜ ଔପଚାରିକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ର ଷ୍ଟୋରୀ ବିଭାଗରେ ଲେଖିଛନ୍ତି ‘ମୁଁ କିଛି ନିରାଧାର ଖବର ଦେଖିଲି, ଯେଉଁଥିରେ ଦାବି ହେଉଛି ଯେ ମୋର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସତ କହିବାକୁ ଗଲେ ଏହା ଖୁବ୍ ମଜାଦାର । କାରଣ ଏହା ଆଦୌ ସତ ନୁହେଁ । ଈଶ୍ୱରଙ୍କ କୃପାରୁ ମୁଁ ସମ୍ପୂର୍ଣ୍ଣ ଠିକ୍ ଓ ସୁରକ୍ଷିତ ଅଛି । ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି, ଏଭଳି ମିଛ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଏହାର ପ୍ରସାର ମଧ୍ୟ କରନ୍ତୁ ନାହିଁ । ଆସନ୍ତୁ, ଆମେ ଆପଣଙ୍କ ଧ୍ୟାନ ସକାରାତ୍ମକତା ଓ ସତ୍ୟ ଉପରେ ରଖିବା ।’
କାଜଲ ଏବେ ମାଳଦ୍ୱୀପରେ ଛୁଟିର ମଜା ନେଉଛନ୍ତି । ସେ ଗତ ୧ ମାସ ହେଲା ସେଠାରେ ଅଛନ୍ତି । ଶେଷଥର ‘ସିକନ୍ଦର’ ଓ ‘କନପ୍ପା’ରେ ସେ ବଡ଼ ପରଦାକୁ ଆସିଥିଲେ । ଆଗକୁ ସେ ‘ଦ ଇଣ୍ଡିଆ ଷ୍ଟୋରୀ’, ‘ଇଣ୍ଡିଆନ୍-୩’, ‘ରାମାୟଣ: ଭାଗ-୧’ ଓ ଭାଗ-୨ରେ ଆସିବେ । ରଣବୀର କପୁର ଓ ସାଈ ପଲ୍ଲବୀ ଷ୍ଟାରର୍ ଏହି ‘ରାମାୟଣ’ ସିରିଜ୍ରେ ସେ ମନ୍ଦୋଦରୀ ଭୂମିକା ନିର୍ବାହ କରିବେ ।