ଫୁଲବାଣୀ/ଜି.ଉଦୟଗିରି, ୩୧/୧୦ : କନ୍ଧମାଳ - ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟିର ମରାମତି କାର୍ଯ୍ୟ ଆପାତତଃ ଶେଷ ହୋଇଛି । ଆଜି କିଛି ଦୁଇ ଚକିଆ ଏବଂ ହାଲୁକା ଚାରି ଚକିଆ ଯାନ ଘାଟି ଦେଇ ଯାତାୟତ କରିଛି । ତେବେ ପ୍ରଶାସନ ପକ୍ଷରୁ ଏହି ରାସ୍ତା ଦେଇ ଆଧିକାରିକ ଭାବେ ଯାତାୟାତ ପାଇଁ ନିର୍ଦ୍ଦେଶ ଜାରି ହୋଇନାହିଁ। ଜାତୀୟ ରାଜପଥ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁଙ୍କ ସୂଚନା ଅନୁସାରେ, ଭୂସ୍ଖଳନ ସ୍ଥାନରେ ଚାଲିଥିବା ପୁନଃରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ଉଭୟ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାପାଳ ମିଳିତ ଯାଞ୍ଚ କରିବା ପରେ ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରିବେ ବୋଲି ସେ କହିଛନ୍ତି। ତେବେ କଳିଙ୍ଗା ଘାଟି ରାସ୍ତା ଶୀଘ୍ର ଖୋଲିବା ନେଇ ସ୍ଥିତି ଆପାତତଃ ସ୍ପଷ୍ଟ ହୋଇ ଥିବାରୁ ଲୋକେ ଆଶ୍ବସ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୬ତାରିଖରେ ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ୧୫୭ନମ୍ବର ଜାତୀୟ ରାଜପଥରେ ଥିବା କଳିଙ୍ଗା ଘାଟିର ପ୍ରାୟ ୫୦ଫୁଟ ରାସ୍ତା ଧୋଇଯାଇଥିଲା। ଫଳରେ ଉଭୟ ଜିଲ୍ଲା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଜାତୀୟ ରାଜପଥ ପ୍ରାଧିକରଣ ଦ୍ବାରା ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବାରମ୍ବାର ବର୍ଷା ଏବଂ ପଥର ଖସିବା କାରଣରୁ ପୁନଃରୁଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା।   ଏପଟେ ଉଭୟ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସମେତ ଆଖପାଖ ଜିଲ୍ଲାମାନଙ୍କର ଲୋକେ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଥିଲେ। କଳିଙ୍ଗା ଏବଂ ଦୁର୍ଗାପ୍ରସାଦର ବ୍ୟବସାୟୀ ମାନେ ଅନେକ କ୍ଷତିର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ଘାଟିରାସ୍ତା ଖୋଲିବା ପାଇଁ ପଥ ପରିଷ୍କାର ହୋଇ ଥିବାରୁ ଲୋକଙ୍କ ମନରେ ଆନନ୍ଦ ଖେଳିଯାଇଛି ।