ଭୁବନେଶ୍ୱର,୨୪/୯ : ମରାଠୀ, ଗୁଜୁରାଟୀ ଏବଂ ଦକ୍ଷୀଣ ଇଣ୍ଡଷ୍ଟ୍ରିର ଫିଲ୍ମକୁ ରିମେକ୍‌ ପରେ ଏବେ ଓଡ଼ିଶା ମୁହାଁ ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର୍‌ । ଜୁନ୍‌ ୧୨ ତାରିଖରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ଅଭିନୀତ ବ୍ଲକ୍‌ବଷ୍ଟର୍‌ ଫିଲ୍ମ ‘ବୋଉ ବୁଟୁ ଭୂତ’ ବକ୍ସ ଅଫିସ୍‌ରେ ଅନେକ ରେକର୍ଡ ଭାଙ୍ଗିଥିଲା । ଓଡ଼ିଆ ଚଳଚ୍ଚିତ୍ର ଭାବରେ ଫିଲ୍ମଟି ଆୟରେ ବହୁ ବଲିଉଡ୍‌ ଫିଲ୍ମକୁ ପଛରେ ପକାଇଥିଲା । ଓଡ଼ିଶା ଏବଂ ଓଡ଼ିଶା ବାହାରେ ୫୦ ଦିନରୁ ଅଧିକ ଦିନ ହଲ୍‌ରେ ଚାଲିବା ସହ ୨୦.୧ କୋଟିରୁ ଅଧିକ ଟଙ୍କା ଆୟ କରି ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲା ବୋଲି ପ୍ରଯୋଜନା ସଂସ୍ଥା ଦାବି କରେ। ଏବେ ଏହାର ଲୋକପ୍ରିୟତାକୁ ଦେଖି ଫିଲ୍ମର ରିମେକ୍‌ ପାଇଁ ଇଚ୍ଛା ପ୍ରକାଶ କରିଛି କରଣ ଜୋହର୍‌ଙ୍କ ଧର୍ମା ପ୍ରଡକ୍ସନ୍ସ। ଫିଲ୍ମର ରିମେକ୍‌ ରାଇଟ୍ସ କିଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

ଧର୍ମା ପ୍ରଡକ୍ସନ୍ସର ମୁଖ୍ୟ ଆଇନ୍‌ ଅଧିକାରୀ ରାଖୀ ବାଜପେୟୀ ତିୱାରୀଙ୍କ ଦ୍ୱାରା ଫିଲ୍ମ ଇନ୍‌ଫର୍‌ମେସନ୍‌ ମାଗାଜିନ୍‌ରେ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, ‘ବୋଉ ବୁଟୁ ଭୂତ'ର ରିମେକ୍‌ ରାଇଟ୍ସ କିଣିବା ପାଇଁ କମ୍ପାନି ପ୍ରକ୍ରିୟା ଆରମ୍ଭ କରିଛି । ଧର୍ମା ପ୍ରଡକ୍ସନ୍ସର ଏହି ପଦକ୍ଷେପ ଆଞ୍ଚଳିକ କାହାଣୀକୁ ଜାତୀୟ ଦର୍ଶକଙ୍କ ପାଖରେ ପହଞ୍ଚାଇପାରିବ। ତେବେ ଏହା ଉପରେ ବାବୁସାନ୍‌ଙ୍କ ପକ୍ଷରୁ କୌଣସି ଘୋଷଣା ହୋଇନଥିଲା ବେଳେ ଖବରକୁ ବାବୁସାନ୍‌ ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି ।