ପୁରୀ,୧୬/୦୯: ରାଜ୍ୟର ପ୍ରାୟ ୨,୫୦୦ ହବିଷ୍ୟାଳୀଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ପାଳନର ସୁବିଧା ଯୋଗାଇ ଦେବେ ସରକାର। ଏଥିପାଇଁ ଆସନ୍ତା ୧୯ ତାରିଖରୁ ଆବେଦନ କରିପାରିବେ ହବିଷ୍ୟାଳୀ । ୧୯ ତାରିଖ ପୂର୍ବାହ୍ନ ୧୦ଟା ଠାରୁ ଆବେଦନ ଆରମ୍ଭ ହେବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଯେଉଁଥିରେ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳାମାନେ ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ । କେବଳ ଅନଲାଇନରେ ପଞ୍ଜୀକୃତ ହୋଇଥିବା ନେଇ ହବିଷ୍ୟାଳି ଶିବିରରେ ଅନୁମତି ପାଇବେ ବୋଲି କହଛନ୍ତି ଜିଲ୍ଲାପାଳ । ୪ଟି ସ୍ଥାନରେ ଅର୍ଥାତ୍ ବୃନ୍ଦାବତୀ ନିବାସ, ମୋଚି ସାହି ଛକ କଲ୍ୟାଣ ମଣ୍ଡପ, ବଗଲା ଧର୍ମଶାଳା ଏବଂ ରେଲୱେ କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା କରାଯାଇଛି।
ସେହିପରି ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର। ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ସେବନ ସହିତ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ। ତେବେ ମନୋନୟନ ପୂର୍ବରୁ ଏକ ଡାକ୍ତରୀ ଦଳ ଆବେଦନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ସେମାନଙ୍କୁ ଏକ ମାସ ଧରି ସ୍ବତନ୍ତ୍ର ଗାଡ଼ିରେ ନେଇ ଜଗନ୍ନାଥ ଦର୍ଶନ ବ୍ୟବସ୍ଥା କରାଯିବ। ହବିଷ୍ୟାଳି ଶିବିରଗୁଡ଼ିକରେ ରାଧା ଦାମୋଦର ପୂଜା, ଆକାଶ ଦୀପ, ଚଉରା ପୂଜା, କାର୍ତ୍ତିକ ପୁରାଣ ପାଠ, ଭାଗବତ ପ୍ରବଚନ ବ୍ୟବସ୍ଥା କରାଯିବ। ଏନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।