କୋଣାର୍କ, ୧୬।୧୦ : କୋଣାର୍କ ନିକଟସ୍ଥ ବନାଖଣ୍ଡି ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରୁ ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ। କାର୍‌କୁ ଅଟକାଇ ଜୟ ଚକ୍ରବର୍ତ୍ତୀ ନାମକ ଜଣେ ଯୁବକଙ୍କୁ ଉଠାଇନେଲେ ୭ ଯୁବକ। ପାରାଦୀପଗଡ଼ରୁ ଅପହୃତ ଯୁବକ ଉଦ୍ଧାର। ରାଜ୍ୟ ଓ ରାଜ୍ୟ ବାହାର ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ସ୍ପେଶାଲ୍ ଟିମ୍। ଅପହରଣକାରୀ ୪ ଯୁବକଙ୍କୁ ମେରାଇନ୍‌ ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଛି । ସେମାନେ ହେଲେ ପାରାଦୀପଗଋର ନିରୁଦ ମହରଥାଙ୍କ ପୁଅ ନିର୍ଭୟ ମହାରଥା(୫୦ ବର୍ଷ), ପଶ୍ଚିମବଙ୍ଗ କସାରପୁର ସେକ୍‌ ବାକି ବୁଲା(୩୬ ବର୍ଷ), ସୁଲତାନ ଅହମଦ ଖାଁ(୪୦ ବର୍ଷ) ଓ ଚଞ୍ଚଲ ଜାନା(୩୫ ବର୍) ବୋଲି ଜଣାପଡ଼ିଛି ।

ଭୁବନେଶ୍ୱର ଖଣ୍ଡଗିରି ଥାନା ସରକନ୍ତରା ଗ୍ରାମର ଅଶୋକ କୁମାର ସାହୁ ତଥା ଅପହୃତ ହୋଇଥିବା ଜୟ ଚକ୍ରବର୍ତ୍ତୀଙ୍କ ସାଙ୍ଗଙ୍କ ଅଭିଯୋଗ ଅନୁଯାୟୀ, ୧୪ ତାରିଖରେ ଦୁଇ ସାଙ୍ଗ ଭୁବନେଶ୍ୱରରୁ ବାହାରି ପୁରୀ ଓ କୋଣାର୍କ ବୁଲି ଭୁବନେଶ୍ୱର ଫେରୁଥିଲେ। ବନାଖଣ୍ଡି ପେଟ୍ରୋଲ ପମ୍ପରେ ତେଲ ପକାଇ ମୁଖ୍ୟ ରାସ୍ତାକୁ ଆସିବା ସମୟରେ ହଠାତ୍ ଦୁଇ ଯୁବକ ବୁଲେଟରେ ଆସି ତାଙ୍କ ଗାଡ଼ି ଅଟକାଇ ଜୟଙ୍କୁ ବାହାରକୁ ଡାକିଥିଲେ । ଜୟ ବାହାରକୁ ନ ଆସିବାରୁ ନିକଟରେ ଥିବା ଏକ ନାଲି କାର ଭିତରୁ ଦୁଇଜଣ ଯୁବକ ତାଙ୍କୁ କାରରୁ ବାହାରକୁ ଭିଡ଼ି ଆଣି ନାଲି କାରରେ ବସାଇ କୋଣାର୍କ ଅଭିମୁଖେ ନେଇଯାଇଥିବା। ଗାଡ଼ି ଭିତରେ ସାତ ଜଣ ଯୁବକ ଥିଲେ। ​​​​​​​

ଅଶୋକଙ୍କ ଅଭିଯୋଗ କ୍ରମେ ଅତିରିକ୍ତ ଏସପି ସଚିନ ପଟେଲ ଓ କୋଣାର୍କ ପୁଲିସ ଘଟଣାର ତଦନ୍ତ କରିବା ସହ ରାସ୍ତାରେ ଲାଗିଥିବା ବିଭିନ୍ନ ସି ସି କ୍ୟାମେରା ଯାଞ୍ଚ କରିଥିଲେ। ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅପହୃତ ଯୁବକଙ୍କୁ ଉଦ୍ଧାର ଓ ଅପହରଣକାରୀମାନଙ୍କୁ ଧରିବା ପାଇଁ ତିନୋଟି ସ୍ପେଶାଲ୍ ଟିମ ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ କରିଥିଲା। ଜୟଙ୍କ ସାଙ୍ଗ ଅଶୋକଙ୍କ ସୂଚନା ଅନୁଯାୟୀ ୨୦ଦିନ ପୂର୍ବରୁ ଚଞ୍ଚଳ ଜେନା ନାମକ ଜଣେ ବ୍ୟକ୍ତି ଜୟ ଓ ତାଙ୍କ ଭଉଣୀଙ୍କୁ ଦିଘାରୁ ଉଠାଇ ନେଇଥିଲେ । ହଳଦିଆ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ଏ ସମ୍ପର୍କରେ ହଳଦିଆ ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଘଟଣା ଦିନ ମଧ୍ୟ ଚଞ୍ଚଳ ଜେନା ଜୟଙ୍କ ଭଉଣୀକୁ ଫୋନ୍ କରି ଟଙ୍କା ମାଗୁଥିଲେ ବୋଲି ଅଶୋକ ପୁଲିସକୁ କହିଛନ୍ତି । ଟଙ୍କା କାରବାରକୁ ନେଇ ଜୟଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି କୋଣାର୍କ ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି । ତେବେ ଏହି ଅପହରଣ ପଛରେ ଚଞ୍ଚଳ ଜେନା ନାମକ ବ୍ୟକ୍ତିର ସଂପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରି ତଦନ୍ତ ଚଳାଇଛି।

a​​​​​​​