କଟକ,୨୭/୦୯: ଉପର ପଡ଼ିଆରୁ  ବାଲିଯାତ୍ରା ଆରମ୍ଭ ହୋଇଥିଲା । ସେହି ଉପର ପଡ଼ିଆ ହିଁ ବାଲିଯାତ୍ରାର ଅନ୍ତୁଡ଼ିଶାଳ । କିନ୍ତୁ ଏବେ ଶ୍ରୀହୀନ ପାଲଟିବାକୁ ଯାଉଛି । ଉପର ପଡ଼ିଆରେ ବାଲିଯାତ୍ରା ନହେବାକୁ ନେଇ ପୂରା ସହରବାସୀ, ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର  ରାଜନେତା ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ହାଇକୋର୍ଟଙ୍କ ଆଦେଶ ଆଳରେ ସବୁକଥାକୁ  ଏଡ଼ାଇ ଆସୁଥିଲା । କିନ୍ତୁ ଗତକାଲି ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ପ୍ରଶାସନର ଅସଲ ଚେହେରା ପଦାରେ ପଡ଼ିଯାଇଛି ।  

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଉପର ପଡ଼ିଆରେ ବାଲିଯାତ୍ରା ହେବା କଥାକୁ ଅଦାଲତରେ ଉଠାଇଥିଲେ । ଏହା ଉପରେ ଅଦାଲତ ବିଚାର  କରିବାକୁ ଅନୁରୋଧ କରିଥିଲେ । ହାଇକୋର୍ଟ ପ୍ରଶାସନର ଏଭଳି ଆବେଦନକୁ ଅଗ୍ରାହ୍ୟ କରି  ଦେଇଥିଲେ । ଯଦି ଉପର ପଡ଼ିଆରେ ବାଲିଯାତ୍ରା ହେବାଲାଗି ସହରବାସୀଙ୍କ ପକ୍ଷରୁ ଦାବି ହେଉଛି  ତେବେ ପ୍ରଶାସନ ବା ଖୋଦ୍‌ ଜିଲ୍ଲାପାଳ କିମ୍ବା କୌଣସି ସଂଗଠନ କ’ଣ ପାଇଁ ପିଟିସନ୍‌ ନେଇ  ଅଦାଲତକୁ ଆସୁନାହାନ୍ତି ବୋଲି ହାଇକୋର୍ଟ ପାଲଟା ପ୍ରଶ୍ନ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ମୌଖିକ ଭାବେ ଉଠାଇବାକୁ ହାଇକୋର୍ଟ ଗ୍ରହଣ କରିନଥିଲେ । ଯଦି କିଛି କହିବାର ଅଛି ତାହେଲେ  ଉପଯୁକ୍ତ ଫୋରମ୍‌ରେ ଆସିବାକୁ ହାଇକୋର୍ଟ  କହିଛନ୍ତି । ହାଇକୋର୍ଟଙ୍କ ଏହି ଉତ୍ତର ପରେ  ପ୍ରଶାସନର ଅସଲ ମୁଖା ପଦାରେ ପଡ଼ିଯାଇଛି । ପ୍ରଶାସନ ଉପର ପଡ଼ିଆରେ ବାଲିଯାତ୍ରା ନ  କରିବାକୁ ଜିଦ୍‌ କରୁଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ଗତବର୍ଷ ଉପର ପଡ଼ିଆ ପ୍ରସଙ୍ଗ  ହାଇକୋର୍ଟରେ ଉଠିଥିଲା । ଟ୍ରାଫିକ୍‌  ସମସ୍ୟା ଏବଂ ଅନ୍ୟ କେତେକ ସମସ୍ୟା  ଉପୁଜିଥିବା କୁହାଯାଇଥିଲା । ପ୍ରଶାସନ ବିଚାର କରିବାକୁ ହାଇକୋର୍ଟ କହିଥିଲେ ।