ନୂଆଦିଲ୍ଲୀ,୧୯/୦୯: ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଅବସରରେ ଏକ ସ୍ପେଶାଲ ଗିଫ୍ଟ ଦେଇଛନ୍ତି । ମୋଦିଙ୍କୁ କଦମ୍ବ ଗଛ ଉପହାରରେ ଦେଇଛନ୍ତି ବ୍ରିଟେନ ରାଜା । ଯାହାକୁ ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନ, ୭ ଲୋକ କଲ୍ୟାଣ ମାର୍ଗରେ ଲଗାଇଛନ୍ତି । ଏହି ଗଛ ବନ୍ଧୁତା ଏବଂ ପରିବେଶରେ ସ୍ଥିରତା ପ୍ରତି ଏକ ସହଭାଗୀ ପ୍ରତିବଦ୍ଧତାର ପ୍ରତୀକ ହେବ ।

ରାଜା ଚାର୍ଲ୍ସ କାହିଁକି କଦମ୍ବ ଗଛ ପଠାଇଥିଲେ ? ରାଜଧାନୀ ଦିଲ୍ଲୀରେ ଥିବା ବ୍ରିଟିଶ ହାଇକମିଶନ ଲେଖିଛନ୍ତି: " ରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ତାଙ୍କୁ ଏକ କଦମ୍ବ ଗଛ ପଠାଇ ଖୁସି ଅନୁଭବ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମାଆଙ୍କ ପାଇଁ ଗୋଟିଏ ଗଛ' ପଦକ୍ଷେପ ଦ୍ୱାରା ଅନୁପ୍ରାଣିତ ହୋଇ, ଏହି ପଦକ୍ଷେପ ପରିବେଶ ସୁରକ୍ଷା ପ୍ରତି ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।"

ପ୍ରଧାନମନ୍ତ୍ରୀ ମୋଦି ରାଜା ଚାର୍ଲ୍ସଙ୍କୁ ଏକ ଗଛ ଦେଇଥିଲେ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜା ଚାର୍ଲ୍ସଙ୍କୁ ଏକ ଗଛ ଉପହାର ଦେଇ ସାରିଛନ୍ତି  । ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ୟୁକେ ଗସ୍ତ ସମୟରେ, ରାଜା ଚାର୍ଲ୍ସଙ୍କୁ ଭେଟି ତାଙ୍କୁ ଏକ ସୋନାମା ଗଛ ଉପହାର ଦେଇଥିଲେ । ସୋନୋମା ଗଛ ଲଗାଇବାର ୨ ରୁ ୩ ବର୍ଷ ମଧ୍ୟରେ ଫୁଲ ଫୁଟିବା ଆରମ୍ଭ କରେ ।

ଦୁଇ ଦିନ ତଳେ ୭୫ ତମ ଜନ୍ମଦିନ ପାଳିଥିଲେ ପ୍ରଧାନମନ୍ତ୍ରୀ । ଜନ୍ମ ଦିନରେ 'ଏକ ପେଡ଼ ମା କେ ନାମ' ପଦକ୍ଷେପରେ ୭୫ ଲକ୍ଷ ଗଛ ଲଗାଇବାକୁ ଆହ୍ୱାନ ଦିଆଯାଇଥିଲା ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ୟୁରୋପୀୟ ସଂଘର ରାଷ୍ଟ୍ରପତି ଉର୍ସୁଲା ଭନ୍ ଡେର ଲେଏନ୍ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସମେତ ଅନେକ ବିଶ୍ୱ ନେତା ମୋଦିଙ୍କୁ ଫୋନ୍  ବାର୍ତ୍ତା ପଠାଇ ଜନ୍ମଦିନ ଶୁଭେଚ୍ଛା ଦେଇଥିଲେ ।