ମାଲକାନଗିରି,୫/୧୧ : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ କିନ୍ନରମାନେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମୁର୍ଗୀମାତାଙ୍କୁ ପୂଜା କରିଛନ୍ତି । ମାଲକାନଗିରି ଜିଲ୍ଲା କିନ୍ନର ସଂଘ ସଭାପତି ଦୁର୍ଗା କିନ୍ନର, ସୋନାଲି, କାଜଲ, ସୋନୁ କିନର, ଶିବାନୀ, ମଇନା, କିରଣ ୨୫ରୁ ଊର୍ଦ୍ଧ୍ବ କିନ୍ନରମାନେ ଏକତ୍ରିତ ହୋଇ ସେମାନେ କାହାକୁ ଚାନ୍ଦା ନ ମାଗି ନିଜେ ପରିଶ୍ରମ କରି ଏକ ମାଟିରେ ବିରାଟ ମୁର୍ଗୀମାତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ପୂଜା କରୁଛନ୍ତି ।
ମାଉଲିଗୁଡ଼ି ସାହିରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ପୂଜା ଆରମ୍ଭ ହୋଇ ଏହା ୫ଦିନ ଧରି ଚାଲିବ । ପ୍ରତିଦିନ ମାତାଙ୍କ ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି । ଏହି ମୁର୍ଗୀମାତା ହେଉଛନ୍ତି କିନ୍ନରମାନଙ୍କ ମୁଖ୍ୟ ଦେବୀ । ତାଙ୍କ ପୁଜା ଅନ୍ୟାନ୍ୟ ଦେବୀଙ୍କଠାରୁ ଭିନ୍ନ ପ୍ରକାର ହୋଇଥାଏ । ଦେବୀଙ୍କ ପୁଜାରେ କେହି ବ୍ରାହ୍ମଣ ପୂଜାରୀ ନ ଥାନ୍ତି । କିନ୍ନରମାନେ ହିଁ ପୂଜା କରିଥାନ୍ତି । ୫ଦିନ ଯାକ କିନ୍ନରମାନେ ଘରେ କିମ୍ବା ଦୋକାନ ବଜାରରେ କିଛି ନ ଖାଇ କେବଳ ମୁର୍ଗୀମାତାଙ୍କ ପ୍ରସାଦ ଖାଇ ରହିଥାନ୍ତି । ପ୍ରତିଦିନ ସନ୍ଧ୍ୟାରେ ମୁର୍ଗୀମାତାଙ୍କ ପୀଠରେ କିନ୍ନରମାନେ ନୃତ୍ୟ ସଂଗୀତ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷଣ କରିଥାନ୍ତି । କିନ୍ନରମାନଙ୍କ ମୁର୍ଗୀମାତା ପୂଜା ଓ ସେମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପୁଜା ପୀଠରେ ଭକ୍ତ ଓ ଦର୍ଶକମାନଙ୍କ ଭିଡ଼ ଲାଗି ରହିଥାଏ ।
କିନ୍ନରମାନଙ୍କ ଆରାଧ୍ୟ ଦେବୀ ମୁର୍ଗୀମାତା ହୋଇଥିବାରୁ ପୃଥିବୀର ସମସ୍ତ କିନ୍ନରମାନେ ମାତାଙ୍କୁ ଟଙ୍କାର ମାଳ ପିନ୍ଧାଇ ପୂଜା କରିଥାନ୍ତି । ଦେବୀଙ୍କ ପୂଜା ୫ଦିନ ଧରି ହେଉଥିବାବେଳେ ୪ଦିନ ଯାକ ତାଙ୍କ ନିକଟରେ ନଡ଼ିଆ, କଦଳୀ, ଲିଆ, ମୁଆଁ, ୧୨ପ୍ରକାର ଫୁଲଫଳ ଚଢାଯାଇ ଭୋଗ ଲଗାଯାଇଥାଏ । ୫ମ ଶେଷ ଦିନରେ ମୁର୍ଗୀମାତାଙ୍କ ନିକଟରେ ବଡ଼ ମାଗୁର ମାଛ ବଳି ପକାଇ ଭୋଗ ଲଗାଯାଇଥାଏ । ସେହି ବଳି ଭୋଗକୁ ସମସ୍ତ କିନ୍ନରମାନେ ପ୍ରସାଦ ଭାବେ ପାଇ ସାରିଲା ପରେ ମୁର୍ଗୀମାତାଙ୍କୁ ନଦୀରେ ବିସର୍ଜନ କରିଦେଇ ପୁଣି ଆଉ ଗୋଟିଏ ବର୍ଷକୁ ଚାହିଁ ରହିଥାନ୍ତି ।