ଭୁବନେଶ୍ଵର, ୯/୧୦ : ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଥାନା ପୁଲିସକୁ ବଡ଼ ସଫଳତା। ମୁଖ୍ୟ ଗ୍ୟାଙ୍ଗଷ୍ଟାର ଚିକୁ ତରାଇ ସମେତ ୪ କୁଖ୍ୟାତ ଅପରାଧୀ ଗିରଫ। କ୍ରିଷ୍ଣାନନ୍ଦପୁର ଥାନା ମହାନଦୀ ପଠାର ଏକ ଜଙ୍ଗଲରେ ପୁଲିସର ଏକ ଟିମ୍ ଚଢ଼ାଉ କରି ଏହି ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅପରାଧୀଙ୍କ ଠାରୁ ଗୋଟିଏ ସୁନା ଚେନ, ଗୋଟିଏ ବାଇକ, ମୋବାଇଲ ସହ ଲଙ୍କା ଗୁଣ୍ଡ ପ୍ୟାକେଟ୍ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ପାରାଦୀପ ଲକ୍ ଥାନା ବିଶ୍ୱାଳି ଗାଁର ମୁଖ୍ୟ ଅଭିଯୁକ୍ତ ଚିକୁ ଓରଫ ଚିନ୍ମୟ ତରାଇ ନାଁରେ ବିଭିନ୍ନ ଥାନାରେ ରହିଛି ୩୦ରୁ ଉର୍ଦ୍ଧ୍ଵ ଅପରାଧିକ ମାମଲା ରହିଛି। ଚିକୁ ତରାଇ ଏକ ୭ ଜଣିଆ ଡକାୟତ ଗ୍ୟାଙ୍ଗ ଗଢିବା ସହ ଜଗତସିଂହପୁର ସମେତ ସାରା ରାଜ୍ୟରେ ଡକାୟତି ସମେତ ବିଭିନ୍ନ ଅପରାଧ ଘଟାଇ ଆସୁଥିଲା। କ୍ରିଷ୍ଣାନନ୍ଦପୁର ଥାନା ମହାନଦୀ ପଠାର ଏକ ଜଙ୍ଗଲରେ ପୁଲିସର ଏକ ଟିମ୍ ଚଢ଼ାଉ କରି ଏହି ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଚିକୁ ତରାଇ, ଏସକେ କରିମ, ରାଧେଶ୍ୟାମ ଦାସ ଓ ସୁବ୍ରତ ଦାସ। ସେମାନଙ୍କ ନିକଟରୁ ପୁଲିସ ଏକ ସୁନା ଚେନ୍, ୩ଟି ଖଣ୍ଡା, ଏକ ଆଇରନ୍ ରଡ୍, ଏକ ବାଇକ୍, ୨ଟି ଫୋନ୍, ୨ଟି ଲଙ୍କା ଗୁଣ୍ଡ ପ୍ୟାକେଟ୍, ମଦ ବୋତଲ ଓ ଅନ୍ୟ ଆପତ୍ତିଜନକ ଜିନିଷ ଜବତ କରିଛି। ଏମାନଙ୍କୁ ଗିରଫ କରାଯିବା ପରେ ଜିଲ୍ଲାରେ ବହୁମାତ୍ରାରେ ଡକାୟତି ଓ ଅପରାଧ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ଜଗତସିଂହପୁର ଏସପି କହିଛନ୍ତି।